ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣା : ପ୍ରାଣ ହରାଇଲେ ପଞ୍ଚୁପଲ୍ଲୀର ନିରୀହ ରାଜେଶ ଓରଫ ରାଜୁ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣାରେ ପ୍ରାଣ ହରାଇଲେ ନିରୀହ ରାଜେଶ ଓରଫ ରାଜୁ। ଦୁଇ ଧରି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପ୍ରାଣ ହରାଇଛନ୍ତି ରାଜୁ। ରାଜୁଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ।ସେପଟେ ବୋମାମାଡ଼ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ବୋଲି ସୂଚନା ମିଳିଛି। ଏବେ ଅକ୍ଷୟଙ୍କୁ ଖୋଜୁଛି ପୋଲିସ । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଦେଖାଦେଇଛି। ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ରାଜୁଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରୁଛନ୍ତି । ଅପରାଧୀକୁ ଖୋଜି ତୁରନ୍ତ ଦଣ୍ଡ ଦିଆଯାଉ ବୋଲି ଦାବି ହେଉଛି।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ବେଳେ ରାଜୁଙ୍କର କିଛି ଭୁଲ୍‌ ନଥାଇ ମଧ୍ୟ ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ରାଜୁ ଘରର ସାନ ପୁଅ ଥିଲେ। ଭୁବନେଶ୍ୱରରେ ଏକ ମେଡିସିନ ଷ୍ଟୋରରେ କାମ କରୁଥିଲେ। ରାଜୁଙ୍କ ଯୋଗୁଁ ତାଙ୍କ ଘର ଚଳୁଥିଲା। ହେଲେ ବୋମାମାଡ କରିଥିବା ବ୍ୟକ୍ତି ଘରର ଖୁସିକୁ ଛଡାଇନେଲା।  ଘଟଣା ଘଟିବା ସନ୍ଧ୍ୟାରେ ରାଜୁ ବୋମା ଫୁଟାଉଥିବା ବ୍ୟକ୍ତିକୁ ବୋମା ଫୁଟାଇବାକୁ ବାରଣ କରିଥିଲେ। ତେବେ ବୋମା ଫୁଟାଉଥିବା ବ୍ୟକ୍ତି ଅକ୍ଷୟ ସାହୁ ତାଙ୍କ ଉପରକୁ ବୋମା ପକାଇ ଦେଇଥିଲେ। ବୋମା ପକାଇବା ପରେ ରାଜୁଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକ ରାଜୁଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର ହୋଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଜୁଙ୍କ ପ୍ରାଣ ଚାଲିଗଲା।

ତେବେ ଜନ୍ମାଷ୍ଟମୀ ରାତିରେ ହୋଇଥିବା ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି । ଯେଉଁଥିରେ କି ଏକାଧିକ ଯୁବକ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ଗୁରୁତର ରାଜୁ ସାହୁଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ କମିଶନରେଟ ପୋଲିସର ଛାନଭିନ୍ ଚାଲିଛି। ସୂଚନା ମୁତାବକ, ଅଭିଯୁକ୍ତ ଅକ୍ଷୟ ଜଣେ ପେଶାଦାର ଅପରାଧୀ। ତେଣୁ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.