ମିଶନ ଶକ୍ତି ଜରିଆରେ ଏସ୍ଏଚ୍ଜିଙ୍କୁ ଦିଆଯିବ ଏକ ହଜାର କୋଟି ଟଙ୍କା, କ୍ୟାବିନେଟ ଅନୁମୋଦନ ପରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମିଶନ ଶକ୍ତି ନିର୍ଦ୍ଦେଶିକା

ଭୁବନେଶ୍ବର(କେନ୍ୟୁଜ୍) : ମିଶନ ଶକ୍ତି ଜରିଆରେ ମହିଳା ଏସ୍ଏଚ୍ଜି ଗ୍ରୁପ୍ଙ୍କୁ ଦିଆଯିବ ଏକ ହଜାର କୋଟି । ୪୦ଟି ଭିନ୍ନଭିନ୍ନ କାମ ଏସ୍ଏଚ୍ଜି ଗ୍ରୁପ୍ଙ୍କୁ ଦିଆଯିବ । ଏନେଇ ୨୯ ତାରିଖରେ ହୋଇଥିବା ପ୍ରଥମ କ୍ୟାବିନେଟ୍ ଅନୁମୋଦନ ଦେବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍। ଚିଠିରେ ଉଲ୍ଲେଖ ରହିଛି, ସରକାରଙ୍କ ୧୦ଟି ବିଭାଗ ଏସ୍ଏଚ୍ଜି ଗ୍ରୁପ୍ଙ୍କଠାରୁ ଦ୍ରବ୍ୟ ଓ ସେବା ନେଇପାରିବେ । ସେହି ବିଭାଗଗୁଡ଼ିକ ହେଲା ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ସ୍କୁଲ ଓ ଗଣଶିକ୍ଷା, ଶକ୍ତି, ଜଙ୍ଗଲ ଓ ପରିବେଶ, ଗୃହ ଓ ନଗର ଉନ୍ନୟନ, ମତ୍ସ ଓ ପଶୁ ସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ।
ଏହାରି ଭିତରେ ମଧ୍ୟାହ୍ନ ଭୋଜନ ଓ ବିଦ୍ୟୁତ ମିଟର ରିଡିଂ ଆଦି କାମରେ ଏସଏଚଜି ମହିଳା କାମ କରୁଛନ୍ତି। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀ କଳାହାଣ୍ଡି ଜିଲ୍ଲାର ୧୦ଟି ଗ୍ରାମପଞ୍ଚାୟତରେ ଧାନ ସଂଗ୍ରହ କାର୍ଯ୍ୟରେ ଲାଗିଛନ୍ତି। ଆଗକୁ ପର୍ଯ୍ୟାୟ କ୍ରମେ ଏଥିରେ ବୃଦ୍ଧି କରାଯିବ। ଜିଲ୍ଲାସ୍ତରରେ ଏଭଳି କିଛି କାର୍ଯ୍ୟ ହାତକୁ ନିଆଯିବ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା। ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ସରକାରୀ କାର୍ଯ୍ୟକ୍ରମରେ ଭାଗଦାରୀ ବଢ଼ିବା ସହ ସେମାନେ ଆର୍ଥିକ ଭାବରେ ଆତ୍ମନିର୍ଭରଶୀଳ ହୋଇପାରିବେ।
ଏହାକୁ କ୍ୟାବିନେଟ୍ ଅନୁମୋଦନ ଦେବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା ସଶକ୍ତୀକରଣ ଦିଗରେ ଏହା ଏକ ଐତିହାସିକ ପ୍ରୟାସ । ପ୍ରଥମ ପର୍ଯ୍ୟାୟରେ ଧାନ ସଂଗ୍ରହ, ସ୍କୁଲ ପିଲାଙ୍କୁ ୟୁନିଫର୍ମ, ହସ୍ପିଟାଲକୁ ଖାଦ୍ୟ ଯୋଗାଣ, ମଶାରି, ମଧ୍ୟାହ୍ନ ଭୋଜନ, ମାଛ ଚାଷ ଇତ୍ୟାଦି ୪୦ ପ୍ରକାର କାମ ସାମିଲ କରାଯାଇଛି ।