Below header

ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଦିଆଯିବ ପରାମର୍ଶ, ଅନ୍‌ଲାଇନ୍‌ ହେଲପ ଲାଇନ୍ ‘ଭରସା’ ଲୋକାର୍ପିତ

ଭୁବନେଶ୍ୱର : କୋଭିଡ୍-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ଓ ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ହେଲପ ଲାଇନ୍ ‘ଭରସା’କୁ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶଙ୍କ ଲୋକାର୍ପିତ କରିଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକସେବା ଭବନଠାରେ େୱବେକ୍ସ ଜରିଆରେ ଭିଡ଼ିଓ କନ୍ଫରେନ୍ସିଂରେ ଯୋଗଦେଇ କହିଛନ୍ତି ଯେ ସଂପ୍ରତି ମହାମାରୀ କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଛି । ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନଥିବା ବେଳେ ଏହା ସମସ୍ତଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ଲକ୍ ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ସାମାଜିକ ଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଛି । ଏହା ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ ସୃଷ୍ଟି କରୁଛି । ମାତ୍ର ଏଥିରେ ପ୍ରଭାବିତ ନ ହୋଇ ଏବଂ ଚାପକୁ ଏଡ଼ାଇ ଛାତ୍ରଛାତ୍ରୀମାନେ ନିଜ ନିଜର ପଢ଼ା ଜାରି ରଖନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ଲକ୍ ଡାଉନ୍କୁ ଏକ ସୁଯୋଗ ଭାବେ ଗ୍ରହଣ କରି ଛାତ୍ରଛାତ୍ରୀମାନେ ଘରେ ରହି ପାଠ ପଢ଼ନ୍ତୁ । ଛାତ୍ରଛାତ୍ରୀମାନେ ବିଚଳିତ ନହୋଇ ଏବଂ ଧୈର‌୍ୟ୍ୟ ଧରି ନିଜକୁ ମାନସିକ ଚାପରୁ ମୁକ୍ତ ରଖି ପାଠ ପଢ଼ିବା ସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୀତି ନିୟମକୁ ମାନିଚଳିବାକୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି । ଏହି ହେଲପ୍ଲାଇନ୍ ଓଡ଼ିଶାର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସ୍ଥିତିକୁ ସୁଦୃଢ଼ ରଖିବା ଏବଂ ସେମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଆସୋସିଏସନ୍ ଅଫ୍ ହେଲଥ୍ ସାଇକୋଲୋଜିଷ୍ଟର ମିଳିତ ସହଯୋଗରେ ମାନସିକ ଅବସ୍ଥାର ପୁନଃସଂସ୍ଥାପନ ସେବା ହେଲପ୍ ଲାଇନ୍ ‘ଭରସା’ ପ୍ରସ୍ତୁତ କରାଯାଇଛି । ଏଥିରେ ଏକ ହେଲପ୍ ଲାଇନ୍ ଟେଲିଫୋନ୍ ନମ୍ବର-୦୮୦୪୬୮୦୧୦୧୦ (08046801010 ) ଦିଆଯାଇଛି । ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କର ମାନସିକ ସ୍ଥିତିକୁ ସୁଦୃଢ଼ କରିବା ଓ ସେମାନଙ୍କର ଆତ୍ମବିଶ୍ୱାସକୁ ଦୃଢ଼ କରିବା ପାଇଁ ପରାମର୍ଶ ଦିଆଯିବ । ମନସ୍ତତ୍ତ୍ୱବିଦ୍ମାନେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବା ସହିତ ମାନସିକ ସ୍ତରରେ ସ୍ଥିରତା ଆଣିବା ଦିଗରେ ଆବଶ୍ୟକ ପରାମର୍ଶ ଦେବେ ।

ରାଜ୍ୟର ଯେକୌଣସି ସହବନ୍ଧିତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଗିକ ଓ ମାନସିକ ସ୍ଥିତି ନେଇ ହେଲପ୍ ଲାଇନ୍ ନମ୍ବରକୁ ଫୋନ କରି ପାରିବେ । ଲୋକାର୍ପଣ ସମୟରେ କେନ୍ଦ୍ର ଉଚ୍ଚଶିକ୍ଷା ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ ସମେତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ େୱବେକ୍ସ ମାଧ୍ୟମରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.