ଦୀର୍ଘ ଦୁଇ ମାସ ପରେ ଆସନ୍ତା ୨୮ରୁ ଖୋଲିବ ଭୁବନେଶ୍ବର ଏମ୍ସର ଓପିଡି

ଭୁବନେଶ୍ବର(କେନ୍ଯୁଜ୍) : ଦୀର୍ଘ ଦୁଇ ମାସ ପରେ ଆସନ୍ତା ୨୮ ତାରିଖରୁ ଖୋଲିବ ଏମ୍ସ ଭୁବନେଶ୍ବରର ଓପିଡି। ଏଠାରେ ଭର୍ତ୍ତି କୋଭିଡ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗତକାଲି ଏମ୍ସର ନିର୍ଦେଶକ ଡ.ଗୀତାଞ୍ଜଳି ବି, ଅଧୀକ୍ଷକ ଡ.ସଚ୍ଚିଦାନନ୍ଦ ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହେବା ପରେ ଏମ୍ସରେ ଚିକିତ୍ସା ଲାଗି ଅପେକ୍ଷା କରିଥିବା ହଜାର ହଜାର ଅଣକୋଭିଡ୍‌ ରୋଗୀଙ୍କୁ ଆଶ୍ବସ୍ତି ମିଳିଛି।

ତେବେ ଗତ ଏପ୍ରିଲ ମାସ ୨୬ ତାରିଖରୁ ଏମ୍ସର ଓପିଡି ବନ୍ଦ କରି ଦିଆଯାଇଥିଲା। କୋଭିଡ, କର୍କଟ ଆଦି ୧୦ଟି ଜରୁରୀକାଳୀନ ଚିକିତ୍ସା ବ୍ୟତୀତ ଅନ୍ୟ ସମସ୍ତ ବିଭାଗ ଏକପ୍ରକାର ଅଚଳ ହୋଇ ଯାଇଥିଲା। ଏଥିଯୋଗୁଁ ଯେଉଁ ଏମ୍ସ ଓପିଡିକୁ ପ୍ରତିଦିନ ପ୍ରାୟ ୩ ହଜାର ରୋଗୀ ଆସୁଥିଲେ ସେମାନଙ୍କ ଚିକିତ୍ସା ବନ୍ଦ ହୋଇଯାଇଥିଲା। ମାତ୍ର ବର୍ତ୍ତମାନ କୋଭିଡକୁ ନେଇ ସ୍ଥିତିରେ ସୁଧାର ହେବା ପରେ ଏହି ପଦକ୍ଷେପ ଗ୍ରହଣ ହୋଇଛି। ଏଥିସହିତ କୋଭିଡ ନେଗେଟିଭ ରୋଗୀଙ୍କୁ ସସପେକ୍ଟ ୱାର୍ଡରୁ ସ୍ଥାନାନ୍ତରଣ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.