କେନ୍ଦୁଝର(କେନ୍ୟୁଜ୍): ଅନାଥ ସୀମା ଗଲା ସ୍କୁଲ। ସ୍କୁଲ ପୋଷାକ ପିନ୍ଧି, କାନ୍ଧରେ ସ୍କୁଲ ବ୍ୟାଗ ପକାଇ ଖୁସିରେ ସ୍କୁଲ ଯାଇଛି ସୀମା ମୁଣ୍ଡା। ଗତକାଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୀମାଙ୍କୁ ଭେଟି ଆଧାର କାର୍ଡ ତିଆରି କରି ରାସନ କାର୍ଡ ସଂଯୋଗ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପାଠ ପଢାର ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ତାଗିଦ ପରେ ଗତକାଲି କେନ୍ଦୁଝର ଉପଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଏଡିଡବ୍ଲ୍ୟୁଓ ସୀମାକୁ ଭେଟିଥିଲେ। ପରେ କୁସୁମିତା ଆଶ୍ରମ ସ୍କୁଲରେ ତାର ନାଁ ଲେଖାଯାଇଛି। ଆଜି ଡିସିପିଓ ଓ ଡିଡବ୍ଲ୍ୟୁଓ ସୀମାକୁ ନୂଆ ସ୍କୁଲ ପୋଷାକ, ସ୍କୁଲ ବ୍ୟାଗ ସହ ବହିପତ୍ର ଦେଇ କୁସୁମିତା ବାଳିକା ଆଶ୍ରମ ବିଦ୍ୟାଳୟରେ ଛାଡିଥିଲେ। ଏହା ସହ ବିଦ୍ୟାଳୟ ହଷ୍ଟେଲରେ ରହିବାର ବ୍ୟବସ୍ଥା କରାଯାଇଛି। ନିରୀହ ବୟସରେ କାଟ କାଟି ବିକି ପେଟ ପୋଷୁଥବା ସୀମାର ଖବର ପ୍ରସାରଣ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପରେ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତାକୁ ଚାଉଳ ମିଳିଥିଲା।