ଦୁର୍ଗମ ପାହାଡ଼ ପର୍ବତ ଘେରରେ ଥିବା ପଣସା ଗାଁ କୁ ରାସ୍ତା ଓ ବିଦ୍ୟାଳୟ କେବେ? ଅଭିଯୋଗ ପରେ ବି ଫଳ ଶୂନ

ଗୁଣୁପୁର(କେନ୍ଯୁଜ୍): ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ଦୁର୍ଗମ ଇଲାକାରେ ବସବାସ କରୁଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ। ଯେତେ ଗୁହାରୀ କଲେ କଣ ହେବ, ଫଳ ଶୂନ। ଏ ଦୃଶ୍ଯ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଲତାର ପଞ୍ଚାୟତର ପଣସା ଗ୍ରାମର । ଏହି ଗାଁ କୁ ନାହିଁ ପକ୍କା ରାସ୍ତା । ଦୁର୍ଗମ ପାହାଡ଼ ଉପରେ ଥିବା ଏହି ପଣସା ଗ୍ରାମ ବିକାଶ ଠାରୁ ବହୁ ଦୂରରେ।

ଗୁଣୁପୁର-ପୁଟାସିଂ ମୁଖ୍ଯ ରାସ୍ତାରୁ ୪ କିଲୋମିଟର ଭିତରକୁ ଗଲେ ପାହାଡ଼ ଉପରେ ରହିଛି ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଗ୍ରାମର ଲୋକସଂଖ୍ଯା ପ୍ରାୟ ତିନି ଶହ ଥିବାବେଳେ ଏଠାକୁ ପହଞ୍ଚିବାକୁ ଭଲ ରାସ୍ତା ଟିଏ ନାହିଁ । ଯେଉଁ ରାସ୍ତା ଅଛି ତାର ଅବସ୍ଥା ନ କହିବା ଭଲ । ରାସ୍ତା ସାରା ପଥୁରିଆ । ଟିକିଏ ଅସାବଧାନତା ହେଲେ ପାହାଡ଼ ତଳକୁ ଖସି ଦୁର୍ଘଟଣା ଘଟିବା ନିଶ୍ଚିତ । ରାସ୍ତା ର ଅବସ୍ଥା ଏତେ ଶୋଚନୀୟ ଯେ ଦୁଇ ଚକିଆ କି ତିନି ଚକିଆ ଯାନ ଯିବା ବି ମୁସ୍କିଲ । ଜରୁରୀ ସମୟରେ କୌଣସି ଆମ୍ବୁଲାନ୍ସ କି ଅଗ୍ନିଶମ ବାହିନୀ ର ଗାଡ଼ି ଏହି ଗାଁ କୁ ଆସିପାରେ ନାହିଁ । ଗମନାଗମନ ଅସୁବିଧା ଫଳରେ ନାହିଁ ନ ଥିବା ସମସ୍ଯା ଭୋଗୁଛନ୍ତି ଏଠାକାର ବାସିନ୍ଦା।

କେବଳ ରାସ୍ତା ସମସ୍ଯା ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ଗ୍ରାମକୁ ଅବହେଳା କରାଯାଇଛି । ଗାଁ ରେ ପିଲାଙ୍କ ପାଇଁ ବିଦ୍ୟାଳୟ ଟିଏ ବି ନାହିଁ । ଫଳରେ ଏଠାକାର ପିଲା ଏହି ଶୋଚନୀୟ ରାସ୍ତା ଦେଇ ପାହାଡ଼ ତଳେ ଥିବା ମାଣିକପୁର ବିଦ୍ୟାଳୟ କୁ ପାଠପଢିବା ପାଇଁ ୪ କିଲୋମିଟର ଦୂରକୁ ଯାଉଥିବା କହିଛନ୍ତି ଅବିଭାବକ । ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ଯୟ କରି ଯୋଜନା ଉପରେ ଯୋଜନା କରି ଚାଲିଥିଲେ ମଧ୍ୟ ଏଠି ବହୁ ଦୂରରେ ରହିଯାଇଛି ଯୋଜନା । ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ରହିଯାଇଛି ପଣସା ଗାଁ ।

ପଣସା ଗ୍ରାମର ଏହି ସବୁ ସମସ୍ଯା ସମ୍ପର୍କରେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରାଇବାରୁ, ଗ୍ରାମ୍ଯ ଉନ୍ନୟନ ବିଭାଗ ସହ ଆଲୋଚନା କରି ପକ୍କା ରାସ୍ତା ର୍ନିମାଣ ପାଇଁ ବ୍ଯବସ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ । ତେବେ କେବେ ର୍ନିମାଣ ହେଉଛି ରାସ୍ତା ଏବଂ କେବେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସରକାର, ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.