ଅଜଣା ପୋକକୁ ନେଇ ଗାଁରେ ଆତଙ୍କ, କାମୁଡି ଦେଲେ ଫୁଲିଯାଉଛି ଲୋକଙ୍କ ହାତ ଗୋଡ

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଜମ୍ବେଶ୍ୱରପୁର ଅଞ୍ଚଳରେ ମାତିଛନ୍ତି ଅଜଣା ପୋକ । ଘର ଓ ବାଡ଼ିରେ ସାଲୁବାଲୁ ହୋଇ ମାଡି ଯାଉଛନ୍ତି । କାମୁଡି ଦେଲେ ଲୋକଙ୍କ ହାତଗୋଡ଼ ଫୁଲି ଯାଉଛି ।

ବାଲେଶ୍ୱର (କେନ୍ୟୁଜ): ଗାଁ ସାରା ପୋକ ସାଲୁବାଲୁ । ପାଦ ପକାଇବା ବି କଷ୍ଟକର ହୋଇପଡୁଛି । ଖାଇବା ଥାଳି ଓ ପାଣିରୁ ବାହାରୁଛନ୍ତି ଅଜଣା ପୋକ । ବାଲେଶ୍ୱର ଜିଲ୍ଲା ଗେଙ୍ଗୁଟି ପଞ୍ଚାୟତ ଜମ୍ଭେଶ୍ୱରପୁର ଗାଁରେ ଛାରପୋକ ପ୍ରଜାତିର ପୋକ ଆତଙ୍କ । ଇଏ କେଉଁ ପ୍ରଜାତିର ପୋକ? କେଉଁଠୁ ଆସୁଛି? ତାହା କାହାକୁ ବି ଜଣାନାହିଁ। ପୋକ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖାଇବା, ପିଇବା, ବସିବା, ଉଠିବା କଷ୍ଟକର ହୋଇପଡୁଛି । ଯୁଆଡେ ଚାହିଁ ପୋକ ସାଲୁବାଲୁ । କାମୁଡି ଦେଲେ ଲୋକଙ୍କ ହାତଗୋଡ଼ ଫୁଲି ଯାଉଛି ।

ପଶ୍ଚିମା ଝଡ଼ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଲରୁ ପୋକ ଆସୁଥିବା ଅନୁମାନ କରଯାଉଛି । ଗତକାଲି ଅପରାହ୍ନ ଯାଏଁ ଧୀରେଧୀରେ ପୋକଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢିବାକୁ ଲାଗିଥିଲା । ଯାହା ଫଳରେ ପୁରା ଅଞ୍ଚଳରେ ପୋକମାନେ ମାଡି ଯାଇଥିଲେ । ଲୋକଙ୍କୁ ଏହି ପୋକ କାମୁଡି ଦେଲେ ସେମାନଙ୍କୁ କୁଣ୍ଡାଇ ହେବା ସହ ବିନ୍ଧା ହେଉଛି । ଖାଲି ସେତିକି ନୁହେଁ ଆପେ ଆପେ ପୋକଙ୍କ ସଂଖ୍ୟା ବଢୁଥିବା ସ୍ଥାନୀୟ ବାସିନ୍ଦା ସୁଧାକର ସେଠି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “ପୋକଙ୍କ ବିସ୍ତାର ବଢ଼ିବା ଯୋଗୁଁ ଅଞ୍ଚଳର ଲୋକମାନେ କେଉଁଆଡ଼େ ଚାଲି ଯାଇପାରୁନାହାନ୍ତି ।

ଏପରିକି ଖାଇବା ପିଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଘରୁ ବାହାରକୁ ଯାଇ ପାରୁନାହାନ୍ତି ।ଏପରି ପୋକ ଆଗରୁ କେବେ କେହି ଦେଖି ନଥିବା ବେଳେ ହଠାତ ଚାରିଆଡ଼େ ମାଡିଯିବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀୟ ଅବସ୍ଥାରେ ଅଛନ୍ତି ।” କୃଷି ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି। ପୋକ ଦାଉରୁ ରକ୍ଷା ପାଇବା ପାଇଁ ଘର ଦ୍ୱାରରେ ବ୍ଲିଚିଂ ପକାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.