ଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମହିଳା: ୩ ପିଲା ମୃତ, ଜଣେ ପିଲା ଓ ମହିଳା ଉଦ୍ଧାର

ଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମହିଳା । ଡେଇଁ ପଡିବା ପରେ ଭୟ ଲାଗିବାରୁ କୂଅରେ ଝୁଲିଥିବା ଦଉଡିକୁ ଟାଣି ଧରିଥିଲେ । ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଝିଅ ଓ ମା କୁ ଜୀବନ୍ତ ଉଦ୍ଧାର କରାଯାଇଛି । ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଏମିତି ଘଟଣା ଘଟିଛି ।

କେମିତି ଏ ମା’ । ନିଜ ପିଲାଙ୍କୁ ଧରି ମରିବା ପାଇଁ କୂଅକୁ ଡେଇଁପଡିଲେ ମହିଳା । ତା’ ପୁଣି ଜଣେ ନୁହେଁ ୪ ଜଣ ପିଲାଙ୍କୁ ଧରି କୂଅକୁ ଡେଇଁପଡିଥିଲେ । ଆଉ ଜଣେ ପିଲା ଏବଂ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ଯୋଗୁଁ ୩୦ ବର୍ଷୀୟ ମହିଳା ଏପରି ପଦକ୍ଷେପ ନେଇଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ସୂଚନା ମୁତାବକ, ବୁରହାନପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୬୦ କିମି ଦୂର ବାଲନ୍ଦୀ ଗାଁରେ ଏଭଳି ଘଟଣା ଘଟିଛି । ମହିଳା ଜଣକ ସ୍ୱାମୀଙ୍କ ସହିତ ଝଗଡା କରିବା ପରେ କୂଅକୁ ଡେଇଁପଡିଥିବା ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେ ନିଜର ୪ ପିଲାଙ୍କୁ ଧରି କୂଅକୁ ଡେଇଁ ପଡିଥିଲେ । ରାଗରେ କୂଅକୁ ଡେଇଁ ପଡିଥିବା ମହିଳା ଜଣକ ଭୟଭୀତ ହୋଇ କୂଅରେ ଝୁଲିଥିବା ରଶିକୁ ଧରିଦେଇଥିଲେ । ଜଣେ ପିଲାକୁ ବଞ୍ଚାଇପାରିଥିବା ବେଳେ ଅନ୍ୟ ୩ ଜଣ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ମଧ୍ୟରେ ୧୮ ମାସର ପୁଅ, ୩ ବର୍ଷର ଝିଅ ଏବଂ ୫ ବର୍ଷର ଝିଅ ରହିଛନ୍ତି। ମହିଳା ଜଣକ ୭ ବର୍ଷର ଝିଅଙ୍କୁ ବଞ୍ଚାଇପାରିଛନ୍ତି । ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ ।

ସ୍ଥାନୀୟ ଏସପି ରାହୁଲ କୁମାର କହିଛନ୍ତି, କୂଅକୁ ଡେଇଁ ପଡିଥିବା ମହିଳା ଜଣକ ଘର ପାଖରେ ଥିବା କୂଅରେ ଡେଇଁ ପଡିଥିଲେ । ପୋଲିସ ଏହି ମାମଲାରେ କେସ୍‌ ଦାଏର କରିଛି ।

ସୂଚନାଯୋଗ୍ୟ, ଗତକିଛି ଦିନ ତଳେ ବୁରହାନପୁର ଜିଲ୍ଲାର ନେପାନଗର ତହସିଲର ଗ୍ରାମ ଡବାଲୀରେ ଗୋଟେ ପରିବାରର ୫ ଜଣ ଲୋକେ ଆତ୍ମହତ୍ୟା କରିଥିଲେ । ଘର ଭିତରେ ପତିପତ୍ନୀଙ୍କ ସମେତ ୩ ନାବାଳିକ ଝିଅଙ୍କ ମୃତଦେହ ମିଳିଥିଲା । ସବୁ ମୃତକ ପିଲାଙ୍କ ବୟସ ୧୦ ବର୍ଷରୁ କମ୍‌ ଥିଲା । ପତି ପତ୍ନୀ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସକୁ ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.