ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଗଲେ ପାର୍ବତୀ, ନିଜ ସ୍ୱାମୀଙ୍କୁ ଦେଲେ ମୁଖାଗ୍ନି

ସୁବର୍ଣ୍ଣପୁର(କେ ନ୍ୟୁଜ) : ସମସ୍ତେ ବିବାହ ସମୟରେ ସାତ ଜନ୍ମକୁ ସାଥି କରିବାକୁ ଶପଥ ନେଇଥାନ୍ତି। କିନ୍ତୁ ଏହି ଶପଥକୁ କେତେ ଜଣ ପାଳନ କରିଥାନ୍ତି ? ଏହି ଶପଥ କେବଳ ଶପଥରେ ରହିଯାଏ ବୋଲି ଆମମାନଙ୍କର ଧାରଣା ରହିଛି। କିନ୍ତୁ ଲୋକଙ୍କର ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ପାର୍ବତୀ। ସାତ ଜନ୍ମର ସାଥି ହେବାକୁ ନିଜ ସ୍ୱାମୀ ଚନ୍ଦ୍ରମଣିଙ୍କୁ କଥା ଦେଇଥିଲେ ପତ୍ନୀ ପାର୍ବତୀ। ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଡୁଙ୍ଗୁରିପାଲି ଥାନା ତମାମୁରା ଗାଁର ପାର୍ବତୀ ଭୋଇ ନିଜ ଇହକାଳ ପରକାଳର ଦେବତା ସ୍ୱାମୀ ଚନ୍ଦ୍ରମଣିଙ୍କ ଚିତାରେ ନିଜେ ନିଆଁ ଦେଇଛନ୍ତି। ଗାଁ ବାସନ୍ଦ କରିଦେଇଥିଲା ସିନା କିନ୍ତୁ ନିଜ ସ୍ୱାମୀଙ୍କୁ ଛାଡି ପାରିନଥିଲେ ପାର୍ବତୀ। ନିଜ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପାର୍ବତୀ।

ଭାଇ ଜିଉଁନ୍ତିଆ ପାଇଁ ବାପ ଘରକୁ ଯାଇଥିଲେ ପାର୍ବତୀ। ପାର୍ବତୀ ସେଠାରେ ତାଙ୍କ ସ୍ୱାମୀ ଚନ୍ଦ୍ରମଣି ଭୋଇ (୬୨) ବର୍ଷ କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ଖବର ପାଇଥିଲେ। ତେବେ ଗତକାଲି ତାଙ୍କ ସ୍ୱାମୀଙ୍କ ମୃତଦେହ କେନାଲରେ ଭାସୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା। ଏହାପରେ ଶବକୁ ବ୍ୟବଚ୍ଛେଦ ପରେ ପାର୍ବତୀଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

କିନ୍ତୁ ସ୍ୱାମୀଙ୍କ ମୃତଦେହକୁ ସଂସ୍କାର କରିବା ପାଇଁ ଗାଁ ଲୋକଙ୍କୁ କହିଥିଲେ ବି ଗାଁ ଲୋକ ଚନ୍ଦ୍ରମଣିଙ୍କ ପରିବାରକୁ ବାସନ୍ଦ କରିଥିବାରୁ କେହି ଆସିନଥିଲେ। କିନ୍ତୁ ହାର ମାନିନଥିଲେ ପାର୍ବତୀ। ନିଜେ ପାର୍ବତୀ ପାପକ୍ଷୟ ଘାଟରେ ନିଜ ସ୍ୱାମୀ ଚନ୍ଦ୍ରମଣିଙ୍କ ମର ଶରୀରରେ ମୁଖାଗ୍ନି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.