ଭୁବନେଶ୍ୱର କିସ୍‌ରେ ମେଗା ଅଭିଭାବକ ସମ୍ମିଳନୀ: କିସ୍‌ ପରିସର ଲୋକାରଣ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର କିସ୍‌ରେ ମେଗା ଅଭିଭାବକ ସମ୍ମିଳନୀ । ଏଥିପାଇଁ କିସ୍‌ ପରିସର ଲୋକାରଣ୍ୟ ହୋଇ ପଡ଼ିଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମହାଅଭିଭାବକ ସମ୍ମିଳନୀ ଆୟୋଜନ କରାଯାଇଛି । ଏକାଠି ହୋଇଛନ୍ତି ହଜାର ହଜାର ଲୋକ । ହଜାର ହଜାର ସଂଖ୍ୟାରେ ଗାଡ଼ି ଠିଆ ହୋଇଛି। ଜନ ସମୁଦ୍ର ମଧ୍ୟରେ ଜନଜାତି ଅଭିଭାବକଙ୍କ ଉତ୍କଣ୍ଠା ସ୍ପଷ୍ଟ ବାରି ହୋଇ ପଡୁଛି ।

କିସ୍‌ ମେଗା ଅଭିଭାବକ ସମ୍ମିଳନୀରେ ଯୋଗଦେବାକୁ ଗତକାଲିଠାରୁ ବିଭିନ୍ନ ଜିଲ୍ଲାରୁ ଅଭିଭାବକମାନେ ଆସିବାରେ ଲାଗିଛନ୍ତି । ଏଥିରେ ରାଜ୍ୟର ପ୍ରାୟ ଏକ ଲକ୍ଷ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପରାମର୍ଶ ଦେଇଛନ୍ତି ।

ଗତକାଲି ଦିନ ତମାମ ଶ୍ରୀ ସାମନ୍ତ ଅଭିଭାବକଙ୍କ ଆସିବା, ରହିବା ଓ ଖାଇବା ଆଦି ବିଷୟରେ କିସ୍‌ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା ବୈଠକ କରିବା ସହ ସମସ୍ତ ସ୍ଥାନ ବୁଲି ଦେଖିଥିଲେ । ଏହି ମହା ଅଭିଭାବକ ସମ୍ମିଳନୀରେ ରାଜ୍ୟର ୩୦ ଜିଲ୍ଲାରୁ କିସର ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କର ୬୦ ହଜାର ବାପା-ମାଆ, ୧୦ହଜାର ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ୧ ଲକ୍ଷ ଆଦିବାସୀଙ୍କ ସମାଗମ ହୋଇଛି।

ସେମାନଙ୍କ ରହିବା ଓ ଖାଇବା ପାଇଁ କିସରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସକାଳ ଜଳଖିଆଠାରୁ ଆରମ୍ଭ କରି ଖାଇବା ପିଇବା, ସଭା ସମିତି, ସାଂସ୍କୃୃତିକ କାର୍ଯ୍ୟକ୍ରମ ଆଦି ସବୁକିଛି କିସ୍‌ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଅଭିଭାବକମାନେ ସେମାନଙ୍କ ପାରମ୍ପରିକ ପୋଷାକରେ ଯୋଗ ଦେଇଛନ୍ତି । କରୋନା ପାଇଁ ଦୁଇବର୍ଷ ଧରି ଏହି କାର୍ଯ୍ୟକ୍ରମ ଭର୍ଚୁଆଲରେ ହେଉଥିଲା। ଦୁଇବର୍ଷ ପରେ ଏବର୍ଷ ଅଭିଭାବକ ସମ୍ମିଳନୀ ପୁଣି ଆୟୋଜନ ହେଉଥିବାରୁ ଜନଜାତି ଅଭିଭାବକ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.