ବାପା-ମାଆ ଏବଂ ଝିଅ HIVକୁ ସାଙ୍ଗରେ ଧରି ଜିଉଁଥିଲେ ଜୀବନ, କିନ୍ତୁ ଏବେ ମରଣ ସହ ସଂଗ୍ରାମ କରୁଛି ଝିଅ

ଭଦ୍ରକ (କେନ୍ୟୁଜ) : ମାଆ ଆଖିରେ ସୁଖୁନି ଲୁହ, ବାପା ବି ଝିଅର ଅବସ୍ଥା ଦେଖି ଏକଦମ୍‌ ଅବାକ୍‌। ଏପଟେ ଯନ୍ତ୍ରଣା ଯେମିତି ଖାଇଚାଲିଛି ଝିଅକୁ। କାନ୍ଦ ବୋବୋଳିରେ ଘର ଫାଟି ପଡୁଛି। ଯେଉଁ ଘରେ ଦିନେ ବୋଉ ବୋଉ କହି ଝିଅ ଘରକୁ କମ୍ପଉଥିଲା ଆଜି ସେହି ଝିଅ ପଡିଛି ବିଛଣାରେ। ହାଉଲ ମାଉଲ ହୋଇ କାନ୍ଦି ଚାଲିଛି। କାହିଁକିନା ତାକୁ ଶାନ୍ତିରେ ବସାଇ ଦେଉନି ଅଜଣା ରୋଗ। ଦେଖନ୍ତୁ ଥରେ ଏ ଚିତ୍ରକୁ। ଆମେ ଯଦି ଦୁଃଖ କଣ କହିବା ତାହେଲେ ବୋଧହୁଏ ଭଗବାନ ସବୁ ଦୁଃଖ ଏମାନଙ୍କୁ ହିଁ ଦେଇଦେଇଛନ୍ତି। କାହିଁକିନା ବାପା ମାଆ ଝିଅ ତିନିଜଣ ପୂର୍ବରୁ ଏଚଆଇଭି ପଜିଟିଭ୍‌ ଥିଲେ। ଆଉ ଏବେ ଏକମାତ୍ର ଅଲିଅଳି ଝିଅକୁ ଘାରିଛି ଅଜଣା ରୋଗ।

ପ୍ରତିଟି ସମୟରେ ଯନ୍ତ୍ରଣାରେ ଛଟପଟ ହେଉଛି ଝିଅ। ମରଣ ସହିତ ଯେମିତି ସଂଗ୍ରାମ କରୁଛି। ଝିଅ ଭଲ ପାଠ ପଢ଼ୁଥିଲା, ମେଧାବୀ ଛାତ୍ରୀ। ଆଶା ଥିଲା ଏକ୍ରମାତ୍ର ଝିଅ ପାଠ ପଢ଼ି ବାପା ମାଆଙ୍କୁ ସାହା ହେବ। କିନ୍ତୁ ଭଗବାନଙ୍କର ବିଚିତ୍ର ଲୀଳା। ସେ ବୋଧେ କିଛି ଅଲଗା ଚାହୁଁଛନ୍ତି, ସେଥିପାଇଁ ତ ପୁର୍ବରୁ ଏଚଆଇଭି ପଜିଟିଭ୍‌ ଥିବା ଝିଅ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି।

ମନକୁ ବ୍ୟଥିତ କରୁଥିବା ଏ ଚିତ୍ର ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ଗାଁର। ବାପା ମାଆ ଦୁଇ ଜଣ ଦୀର୍ଘ ବର୍ଷ ପୂର୍ବରୁ ଏଚଆଇଭି ପଜିଟିଭ ଥିଲେ। ତାଙ୍କର ଏକ ମାତ୍ର ଝିଅ ବି ଯଦିଓ ପିଲାଟି ବେଳୁ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଥିଲେ ତଥାପି ପିଲାଟି ବେଳୁ ଭଲ ପାଠ ପଢୁ ଥିଲେ। ମାଟ୍ରିକରେ ୫୦୦ରୁ ଉର୍ଦ୍ଧ୍ୱ ମାର୍କ ରଖି ଫାଷ୍ଟ କ୍ଲାସ୍‌ ମଧ୍ୟ ପାଇଥିଲେ। ଗରିବର ସୀମାରେଖା ତଳେ ଥାଇ ବି ଝିଅକୁ ଭଦ୍ରକ କଲେଜରେ ନାମ ଲେଖାଇ ହଷ୍ଟେଲରେ ରଖି ପଢ଼ାଉଥିଲେ। ଆଶା ରଖିଥିଲେ ଝିଅଟି ଭଲ ପାଠ ପଢ଼ି ଚାକିରି କରିବ ଓ ବାପ ମାଙ୍କୁ ସାହାଯ୍ୟ କରିବ। କିନ୍ତୁ ସେମାନଙ୍କ ସବୁ ଆଶା ଓ ବିଶ୍ୱାସ ସବୁକିଛି ଯେମିତି ଭାଙ୍ଗିରୁଜି ଚୂରମାର ହୋଇଗଲା। ବିଧାତା ଯେମିତି ଏମାନଙ୍କ ପାଇଁ ବାଛି ଦେଇଛି ଦୁଃଖ। ସେଥିପାଇଁ ତ ଏଚଆଇଭି ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଥିବା ଝିଅ ଏବେ ଅଜଣା ରୋଗରେ ଛଟପଟ ହେଉଛି।

ଝିଅ ଏଚଆଇଭି ପାଇଁ ପ୍ରତେକ ଦିନ ଔଷଧ ଖାଉଥିଲା। ତେଣୁ ସେ ବେଶ ସୁସ୍ଥ ଥିଲା, କଲେଜ ଯାଉଥିଲା ସାଥି ପିଲାଙ୍କ ସହ ମିଶି ପାଠ ବି ପଢ଼ୁଥିଲା କିନ୍ତୁ ହଠାତ୍‌ ଦିନେ ଝିଅ ଛାତିରେ ଯନ୍ତ୍ରଣା ଅନୁଭବ କଲା। ଆଉ ପରେ ହାତ ଗୋଡ଼ ଏବଂ ଦେହ ସାରା ଫୋଟକା ଏବଂ ଘା’ ଭଳି ହୋଇଗଲା। ମୁଣ୍ଡ ଠାର ୁ ଗୋଡ ଯାଏଁ ଯେମିତି ଅକଥନୀୟ ଯନ୍ତ୍ରଣା ଆରମ୍ଭ ହୋଇଗଲା। ତେଣୁ ବାପା ତାଙ୍କୁ କଲେଜ ହଷ୍ଟେଲରୁ ଆଣି ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତର ଖାନାକୁ ନେଇ ଚିକିତ୍ସା କରାଇଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ରୋଗ କଣ ଜଣା ପଡ଼ୁ ନାହିଁ। ବାପା ସରୋଜ ଜଣେ ଦିନ ମଜୁରିଆ। ତଥାପି ଧାର କରଜ କରି ଝିଅର ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଙ୍କ ପାଖକୁ ଯାଉଛନ୍ତି। ହେଲେ ଖର୍ଚ୍ଚାନ୍ତ ହୋଇ ସବୁ କିଛି ହରାଇ ଥିଲେ ମଧ୍ୟ ଝିଅ ଭଲ ହୋଇ ପାରୁ ନାହିଁ। କେବଳ ବିଛଣାରେ ପଡି ରହୁଛି। ପ୍ରବଳ ବିନ୍ଧାବିନ୍ଧି କରୁଥିବାରୁ କାନ୍ଦି କାନ୍ଦି ଯନ୍ତ୍ରଣାରେ ଛଟପଟ ହେଉଛି। ଝିଅର ଏପରି ଅବସ୍ଥା ଦେଖି ବାପ ମା ଦୁଇ ଜଣ ହତ ବାକ ହୋଇ ନିଜ କୋହକୁ ସମ୍ଭାଳି ପାରୁନାହାଁନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କ ପାଖରେ ଆଉ ଅର୍ଥ ନାହିଁ କି ବଳ ମଧ୍ୟ ନାହିଁ। ତେଣୁ ସମସ୍ତଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି ଆଉ ଝିଅର ଜୀବନ ରକ୍ଷା ପାଇଁ ସାହାଯ୍ୟ ମାଗୁଛନ୍ତି। ନିଜ ବାପା ମାଙ୍କ ଏମିତି ଅସହାୟ ଜୀବନ ଦୁଃଖ ଦେଖି ଝିଅ ରାଜ ଲଷ୍ମୀ ମଧ୍ୟ ଭାଙ୍ଗି ପଡିବା ସହିତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି।

ନିଜ ପାରୁ ପର୍ଯ୍ୟନ୍ତ ସବୁ ଉଦ୍ୟମ କରି ବିଫଳ ହେଲା ପରେ ଏବେ ଭାଗ୍ୟ ଆଉ ଭଗବାନ ଉପରେ ନିଜ ଝିଅର ଜୀବନ ଛାଡି ଦେଇଛନ୍ତି ସରୋଜ। ତେବେ ଛାତ୍ରୀଙ୍କୁ ଗ୍ରାମର କେତେକ ବ୍ୟକ୍ତି ଓ ଜୀବନ ଜ୍ୟେତି ସଂଗଠନର ସ୍ୱେଛାସେବୀ ମାନେ ଶେଷ ଥର ପାଇଁ ଭୁବନେଶ୍ୱର ଏମ୍ସ ନେଇଥିଲେ। କିନ୍ତୁ ଏଥିପାଇଁ ଏକ ଅପରେସନର ଆବଶ୍ଯକତା ଥିବା ଡାକ୍ତର ମାନେ କହିଛନ୍ତି। ଆଉ ଏଥିପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଲାଗିବ। ତେବେ ସେହି ଟଙ୍କା ସରୋଜ ଯୋଗାଡ଼ କରିପାରୁ ନାହାନ୍ତି। ତେଣୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଝିଅର ଚିକିତ୍ସା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ସରୋଜ ସାହୁଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା କରିବା ପାଇଁ ଗ୍ରାମର ଯୁବକ ମାନେ ମଧ୍ୟ ନିବେଦନ କରିଛନ୍ତି।

ମେଧାବୀ ଛାତ୍ରୀଙ୍କ ଏପରି ଅବସ୍ଥା ସତରେ ମନକୁ ଆଘାତ ଦେଉଛି। ରୋଗ ଏ ଏମିତି ଯେ କେତେବେଳେ ଆଉ କେଉଁ ରୂପରେ ଆସିବ ତାକୁ ଖାଲି ସେହି ରୋଗ ହିଁ ଜାଣିଛି। କିନ୍ତୁ ଭଗବାନ ଏମିତି ଦୁଃଖ ଦୟାକରି କାହାକୁ ବି ଦିଅନ୍ତୁନାହିଁ। ଦର୍ଶକବନ୍ଧୁ ଏ ଚିତ୍ର ଆମ ମନକୁ ବି ବ୍ୟଥିତ କରିଛି। ତେଣୁ ଆମେ ଚାହିଁଲୁ ଏ ଖବର ଆପଣଙ୍କ ପାଖରେ ପହଁଚାଇବାକୁ। ଯାହାଦ୍ୱାରା ଜଣେ ବାପା ମାଆଙ୍କର ଶେଷ ଆଶା ଥିବା ଜଣେ ମେଧାବୀ ଛାତ୍ରର ଜୀବନ ରକ୍ଷା ହୋଇପାରିବ। ଆପଣଙ୍କର ଛୋଟିଆ ସାହାଯ୍ୟ ଏମାନଙ୍କୁ ବଡ ସହାୟତା ଦେବ ଏ ପରିସ୍ଥିତିରେ। ତେଣୁ ବଦାନ୍ୟ ବ୍ୟକ୍ତି କିମ୍ବା କୌଯଣସି ସଂଗଠତ ରାଜଲକ୍ଷ୍ମୀଙ୍କୁ ତାଙ୍କ ଚିକିତ୍ସାରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଯୋଗାଯୋଗ କରନ୍ତୁ।

ଯୋଗାଯୋଗ :ସରୋଜ ସାହୁ
ମୋବାଇଲ ନମ୍ବର : 8093550682, 8260094535
BANK A/C :12203211071181
IFSC :UCBAOO01020
UCO BANK. DOLA SAHI BRANCH, BHADRAK

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.