୬ ଦିନ ପରେ ବି ପାରଳାଖେମୁଣ୍ଡି ACFଙ୍କ ମୃତ୍ୟୁକୁ ନେଇ ସରୁନି ସସପେନ୍ସ , ବାଲେଶ୍ୱର ଓ ମୟୂରଭଂଜ ଗସ୍ତ କଲା ପାରଳାଖେମୁଣ୍ଡି ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୬ ଦିନ ବିତିଲାଣି। ଏ ଯାଏ ଖୋଲିନି ମୃତ୍ୟୁ ରହସ୍ୟ। ହତ୍ୟା…ଆତ୍ମହତ୍ୟା… ଦୁର୍ଘଟଣା… କିଛି ବି ସୁରାକ୍‌ ମିଳୁନି। ଏତଲା ଆଧାରରେ ହତ୍ୟା ଓ ଷଡ଼ଯନ୍ତ୍ର ମାମଲା ରୁଜୁ କରି ପୋଲିସ ଚଳାଇଛି ତଦନ୍ତ। ଏ ସମୟ ଭିତରେ ୧୧ ଜଣଙ୍କ ବୟାନ ରେକର୍ଡ ସରିଲାଣି। କିନ୍ତୁ ସୁରାକ୍‌ ମିଳୁନାହିଁ। ଅଧିକ ତଥ୍ୟ ଲାଗି ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ବାଲେଶ୍ୱର ଓ ମୟୂରଭଂଜ ଗସ୍ତ କରିଛି। ବାଲେଶ୍ୱର ଖଇରାରେ ଥିବା ସୌମ୍ୟଙ୍କ ପୈତୃକ ଘରକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ। କପ୍ତିପଦାରେ ରହୁଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ ପୋଲିସ। ସୌମ୍ୟଙ୍କ ବାପା ବିଦ୍ୟାଭାରତୀଙ୍କ ସହ ଡିଏଫଓ ଓ ରୋଷେୟାଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି।

 ସେପେଟେ ସୌମ୍ୟା ଓ ବିଦ୍ୟାଭାରତୀଙ୍କ କଲ୍‌ ରେକର୍ଡ ଯାଞ୍ଚ ଆରମ୍ଭ କରି ସାରିଛି ପୋଲିସ। ୧୬ ତାରିଖ ଦିନ ସୌମ୍ୟଙ୍କ କ୍ୱାର୍ଟରରୁ ଜବତ ହୋଇଥିଲା ୨ଟି ମୋବାଇଲ, ଲାପଟପ୍‌ ଓ ହାତଲେଖା ଡାଏରୀ। ମୋବାଇଲ ଦୁଇଟି କାହାର? ତାହା ଜଣା ପଡି ନାହିଁ। ଏବେ ୨ଟି ମୋବାଇଲ ଓ ଲାପ୍‌ଟପ୍‌କୁ ରାଜ୍ୟ ଫରେନ୍‌ସିକ ଲାବୋରଟୋରୀକୁ ପଠାଯାଇଛି। ଫରେନ୍‌ସିକ ଯାଞ୍ଚରୁ କିଛି ସୁରାକ୍‌ ମିଳିବ ବୋଲି ଆଶା କରାଯାଉଛି।

ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେଇ କରୁଥିବା ଗାର୍ଡ ମନ୍ମଥ କୁମ୍ଭଙ୍କ ନାଁରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ସ୍ୱତନ୍ତ୍ର ପୋଲିସ ଟିମ୍‌ । ଆଇପିସିର ଦଫା ୩୦୨ ହତ୍ୟା ଓ ୧୨୦(B) ହତ୍ୟା ଷଡଯନ୍ତ୍ର ଲାଗିଛି । ସାକ୍ଷ୍ୟ ପ୍ରମାଣ ସହ ସାଇଣ୍ଟିଫିକ୍‌ ତଥ୍ୟ ଯୋଗାଡ଼ ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.