ପୋଷା କୁକୁରର ମାର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ, ମାଲିକଙ୍କ ପାଇଁ ଥିଲା ଲକି

ଗଜପତି(କେନ୍ୟୁଜ୍): ବର୍ତ୍ତମାନ ସମାଜରେ ମନୁଷ୍ୟକୁ ହିଁ ଭଲପାଉନାହିଁ । ଏଭଳି ସ୍ଥିତିରେ ପାରଳାଖେମୁଣ୍ଡିର ଏମିତି ଜଣେ ବ୍ୟକ୍ତି ରହିଛନ୍ତି ଯାହାଙ୍କ ପଶୁ ପ୍ରେମ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଅନେକ କୁକୁରଙ୍କୁ ପାଳିଥିବା ବେଳେ ସୋମବାର ସକାଳୁ ଅଞ୍ଜଳି ନାମକ ଏକ କୁକୁର ଆଖି ବୁଜିଥିଲା ତେବେ ଦୀର୍ଘ ୧୬ବର୍ଷ ହେଲା ନିଜ ପୁଅ ଭଳି ରହିଥିବା ଅଞ୍ଜଳିକୁ ବିରାଟ ଶୋଭାଯାତ୍ରାରେ ନେଇ ସଂସ୍କାର କରିଥିଲେ ପାରଳାଖେମୁଣ୍ଡିର ଟୁନୁ ଗୌଡ।
ପାରଳାଖେମୁଣ୍ଡିର ଟୁନୁ ଗୌଡ। ବହୁତ ଗରିବ ଘରେ ଜନ୍ମ ଗ୍ରହଣ କରିଥିଲେ। ବାପାଙ୍କ ଦେହାନ୍ତ ପରେ ବିଭିନ୍ନ ଦୋକାନରେ କାମ କରି ନିଜର ପରିବାରର ପ୍ରତିପୋଷଣ କରୁଥିଲେ। ଏହି ସମୟରେ ଦେଖା ହୋଇଥିଲା ଏକ କୁନି କୁକୁର ସହ। କୁକୁର ପ୍ରେମରେ ପଡି ଟୁନୁ ତାକୁ ନିଜ ଘରକୁ ଆଣି ପୋଷିଥିଲେ। ଏହାପରେ ତା ନାଁ ଦେଇଥିଲେ ଅଞ୍ଜଳି। ସେହିଦିନ ଠାରୁ ନିଜ ପରିବାରର ସଦସ୍ୟ ଭଳି ରହିଥିଲା ଅଞ୍ଜଳି। ଏହାପର ଠାରୁ ଟୁନୁଙ୍କ ବ୍ୟବସାୟ ବୃଦ୍ଧି ହେବା ସହ ଜୀବନରେ ଅନେକ ଉନ୍ନତି ହୋଇଥିଲା। ଏପରିକି ଟୁନୁ ନିଜର ଗୋଟିଏ ଘର କରିବା ସହ ଜଣେ ପ୍ରତିଷ୍ଠିତ ଲୋକଙ୍କ ଭଳି ଜୀବନ ଅତିବାହିତ କରିବାକୁ ଲାଗିଲେ। ଏହାରି ଭିତରେ ସେ ଅନେକ କୁକୁରଙ୍କୁ ପୋଷିଛନ୍ତି। ହେଲେ ଅଞ୍ଜଳି ତାଙ୍କ ଜୀବନରେ ଆସିବା ପରେ ହିଁ ତାଙ୍କର ଏହି ଉନ୍ନତି ହୋଇଥିବା ଟୁନୁଙ୍କ ବିଶ୍ବାସ । ତେବେ ସୋମବାର ସକାଳୁ ହଠାତ୍ ଅଞ୍ଜଳି ଆଖି ବୁଜିଦେଇଥିଲା। ଅଞ୍ଜଳିକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା  ଟୁନୁଙ୍କ ଗୋଡ ତଳୁ ମାଟି ଖସିଯାଇଥିଲା। ତାଙ୍କ ଘରେ ଯେଭଳି କାନ୍ଦ ବୋବାଳି ପଡିଥିଲା ତାହାକୁ ଦେଖିଲେ କେହି ବିଶ୍ବାସ କରିପାରିବେ ନାହିଁ କି ଜଣେ କୁକୁରର ମୃତ୍ୟୁ ହୋଇଛି।

ଏହାପରେ ପରିବାର ସଦସ୍ୟଙ୍କ ଭଳି ଅଞ୍ଜଳିକୁ ହଳଦି ପାଣିରେ ଗାଧୋଇବା ସହ ବିରାଟ ପଟୁଆରରେ ନିଆ ଯାଇ ସଂସ୍କାର କରାଯାଇଥଇଲା। ଏକ ସୁସଜ୍ଜିତ ଗାଡିରେ ଅଞ୍ଜଳିର ମୃତଦେହକୁ ଶୋଭାଯାତ୍ରାରେ ନିଆଯାଇଥିବା ବେଳେ ବାଜା ବଜାଇବା ସହ,ବାଣ ଫୁଟାଇଥିଲେ ଟୁନୁ। ଅଞ୍ଜଳି ମୋ ଜୀବନରେ ଆସିବା ପର ଠାରୁ ମୋର ଉନ୍ନତି ହୋଇଥିଲା। ତେଣୁ ତାକୁ ଉଚିତ ସମ୍ମାନ ଦେବାପାଇଁ ଏହା କରିଥିବା କହିଛନ୍ତି ଟୁନୁ।

ଅଞ୍ଜଳୀର ଦଶାହ ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ପଶୁ ପ୍ରେମକୁ ନେଇ ଟୁନୁ ପାରଳାଖେମୁଣ୍ଡି ସହରରେ ବେଶ ଚର୍ଚ୍ଚିତ। ଟୁନୁଙ୍କୁ ଅନେକ ଲୋକ ଭଲପାଆନ୍ତି। ତେଣୁ ଅଞ୍ଜଳି ଶବ ଶୋଭାଯାତ୍ରାରେ ସେମାନେ ସାମିଲ ହୋଇ ଶେଷ ଦର୍ଶନ କରିବା ସହ ବିଦାୟ ଜଣାଇଥିଲେ। ଏପରିକି ଅଞ୍ଜଳୀକୁ ହୀନ୍ଦୁ ରିତିନୀତି ଅନୁସାରେ ପାରଳାଖେମୁଣ୍ଡି ଶ୍ମଶାନରେ ଦାହ କରାଯାଇଥିଲା । ଆଜିକା ସମାଜରେ ମଣିଷ ମଣିଷକୁ  ପଚାରୁନଥିବା ବେଳେ ଟୁନୁ ଭଳି କେତେଜଣ ଅଛନ୍ତି ଯେଉଁମାନେ କୁକୁର ଭଳି ପୋଷା ପଶୁକୁ ଭଲ ପାଆନ୍ତି ଏବଂ ଏଭଳି ସମ୍ମାନ ଦିଅନ୍ତି । ତେଣୁ ଏଭଳି ଜଣେ ପଶୁ ପ୍ରେମୀଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯିବା ସହ ଅଞ୍ଜଳି ତାଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇ ରହିଥିଲା। ତେଣୁ ତାଙ୍କୁ ହରାଇ ଟୁନୁ ବେଶ୍ ଭାଙ୍ଗିପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.