ଫାଟକ ବିହୀନ ଲେବୁଲ କ୍ରସିଂରେ ଦୁର୍ଘଟଣା, ଟାୱାର କାର୍ ଟ୍ରେନ୍ ଧକ୍କାରେ ଓଲଟିଲା ପିକଅପ୍ ଭ୍ଯାନ୍

ଯୋଡା(କେନ୍ୟୁଜ୍):ଫାଟକ ବିହୀନ ଲେବୁଲ କ୍ରସିଂରେ ଦୁର୍ଘଟଣା । ଟାୱାର କାର୍ ଟ୍ରେନ ଧକ୍କାରେ ଓଲଟିଲା ପିକଅପ।ଅଳ୍ପକେ ବର୍ତ୍ତିଲେ ପିକଅପ ଡ୍ରାଇଭର । ଗତକାଲି ସନ୍ଧ୍ୟାରେ ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାରୁ ଭାଗଲପୁର ଯିବା ରାସ୍ତାରେ ଥିବା ଫାଟକ ବିହୀନ ଲେବୁଲ କ୍ରସିଂରେ ଏହି ଦୁର୍ଘଟଣା ଘଟିଛି ।

OD 05 AQ 7848 ନମ୍ବର ଥିବା ପିକଅପ ଗାଡ଼ିଟି ବିଲେଇପଦାରୁ ଭାଗଲପୁର ଅଭିମୁଖେ ଯାଉଥିବା ବେଳେ ରେଳ ଧାରଣାରେ ଫସିଯାଇଥିଲା । ସେପଟୁ ଡଙ୍ଗୁଆପୋଷିରୁ ରେଳବାଇର ଏକ ଟାୱାର କାର ବା ନିରୀକ୍ଷଣ ଟ୍ରେନ ଅପ୍ ଲାଇନରେ ଆସି ହଠାତ୍ ପିକଅପକୁ ଧକ୍କା ଦେଇଥିଲା । ଯାହାଫଳରେ ପିକଅପ ଓଲଟି ପଡ଼ିବା ସହ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା ।

ତେବେ ସୌଭାଗ୍ୟ ବଶତଃ ପିକଅପ ଡ୍ରାଇଭର ଗାଡିରୁ ଓହ୍ଲାଇ ପଡ଼ିଥିବା କାରଣରୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ପରେ ଅପ୍ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ରେଳବାଇ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି ।

ଏହି ବିନା ଫାଟକ ଲେବୁଲ କ୍ରସିଂରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ଯ, ଏଠାରେ ଫାଟକ ଲଗାଯାଉନାହିଁ । ତେବେ ଏହା ରେଳବାଇର ଅଧିକୃତ ଲେବୁଲ କ୍ରସିଂ ନୂହେଁ ବୋଲି ରେଳ ବିଭାଗରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.