ପୋଢୁଆଁ ହେବେ ମହାପ୍ରଭୁ, ମାମୁଁ ଘର ମାଧବରୁ ଶ୍ରୀକ୍ଷେତ୍ରକୁ ଯିବ ପ୍ରଥମାଷ୍ଟମୀ ଭାର

ଆସନ୍ତା ଡିସେମ୍ଵର ୫ ତାରିଖରେ ମାର୍ଗଶୀର ଅଷ୍ଟମୀ ତିଥିରେ ପଡୁଛି ପ୍ରଥମାଷ୍ଟମୀ। ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ପଠାଯିବ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ଡିସେମ୍ଵର ୫ ତାରିଖରେ ମାର୍ଗଶୀର ଅଷ୍ଟମୀ ତିଥିରେ ପଡୁଛି ପ୍ରଥମାଷ୍ଟମୀ। ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ପଠାଯିବ । ତେଣୁ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥି ଡିସେମ୍ବର ୪ରେ ଶ୍ରୀମାଧବଙ୍କ ପୀଠରୁ ଶ୍ରୀକ୍ଷେତ୍ରକୁ ପୋଢୁଆଁ ଭାର ଯାତ୍ରା ବାହାରିବ। ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଯିବ ।

ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି – ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ । ସୋମବାର ସକାଳ ସାଢେ ୭ଟାରେ ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭାର ଓ ଶୋଭାଯାତ୍ରା ଆରମ୍ଭ କରାଯିବ। କାର୍ଯ୍ୟସୂଚୀ ଅନୁଯାୟୀ ଭୋଇସେବକମାନେ ଆଗରେ ପତାକା ଧରି ଚାଲିବେ । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇବେ । ଏହା ପଛକୁ ଗଡ଼ୁଆ ସେବକ ପାଇକ ଆଖଡା କରିବେ । ରାମତାଳି / ଲଉଡ଼ି ପ୍ରଦର୍ଶନ କରାଯିବ । ଯାତ୍ରା ବାଟରେ ପ୍ରାୟ ୯୦ରୁ ଅଧିକ ସୁଶୋଭିତ ସଂକୀର୍ତ୍ତନ ଦଳ ଓ ଘଣ୍ଟ –ପଖୈ।ଜ ୨ ଦଳ ଏହି ଶୋଭାଯାତ୍ରାରେ ସାମିଲ ହେବେ ।

ଛତିଶା ନିଯୋଗୀ, ପ୍ରାଚୀ ଅଞ୍ଚଳର ବହୁ ସାଧୁସନ୍ଥ , ଭକ୍ତ ଓ ଶ୍ରୀଜଗନ୍ନାଥ ପ୍ରେମୀ ଏଥିରେ ସାମିଲ ହେବେ । ଭକ୍ତ ମାନଙ୍କ ପାଇଁ ଚାରିଛକ, ନାଗପୁର ଓ ଗଣେଶ୍ୱରପୁର ଠାରେ ଦହିପଣା ଓ ବାଲିଘାଇଠାରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି । ଏହି ଶୋଭାଯାତ୍ରା ମାଧବ , ଚନ୍ଦ୍ରମଉଳି , ଚାରିଛକ , ଗୋପ , ଗଣେଶ୍ୱରପୁର , ନାଗପୁର , ଷୋଳପୁର , ମଦରଙ୍ଗ , ଛଇତନା , ବାଲିଘାଇ ଦେଇ ଅପରାହ୍ଣ ସାଢେ ୨ଟା ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ । ସେଠାରୁ ଅପରାହ୍ଣ ୩ଟାରେ ଦ୍ୱିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ । ଅପରାହ୍ଣ ୫ଟା ସୁଦ୍ଧା ପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.