ମାସ ମାସ ନୁହେଁ ପାସପୋର୍ଟ ଭେରିଫିକେସନ୍‌ ପାଇଁ ମାତ୍ର ୪ ଦିନ ସମୟ ନେଉଛି ପୋଲିସ, ସୂଚନା ଦେଲେ ପୋଲିସ ଡିଜି ଅଭୟ

କେନ୍ୟୁଜ୍(ବ୍ୟୁରୋ): ଏଣିକି ପାସପୋର୍ଟ ଭେରିଫିକେସନ୍‌ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବନି । ଏହି ପ୍ରକ୍ରିୟା ଆହୁରି ସହଜ ହୋଇଛି । ମାସ ମାସ ନୁହେଁ, ୪ ଦିନରେ ସରୁଛି ପୋଲିସର ଭେରିଫିକେସନ୍‌ । ପୂର୍ବ ଅପେକ୍ଷା ଶୀଘ୍ର ହେଉଛି । ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଦେଶରେ ତତକାଳ ପାସପୋର୍ଟ ଭେରିଫିକେସନ୍‌ ହେଉଥିବା ରାଜ୍ୟ ମଧ୍ୟରେ ଏବେ ଓଡ଼ିଶା ସାମିଲ ହୋଇଛି । ୨୦୧୭ରେ ପାସପୋର୍ଟ ଭେରିଫିକେସନ ପାଇଁ ଲାଗୁଥିଲା ୯୯ ଦିନ । ୨୦୧୮ ଓ ୧୯ରେ ୨୬ ଦିନ ଲାଗୁଥିଲା । କରୋନା ଯୋଗୁ ୨୦୨୦ରେ ୩୬ ଦିନରେ ସରୁଥିଲା ଭେରିଫିକେସନ୍‌ । ଏବେ ହାରାହାରି ୪ଦିନରେ କାମ ସରୁଛି ।

ତ୍ୱରିତ ସେବା ଯୋଗାଇବା ପାଇଁ ପାସପୋର୍ଟ ଭେରିଫିକେସନକୁ ଫାଇଭ୍‌ ଟି ଅଧୀନକୁ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ସମସ୍ତ ଥାନାକୁ ଦିଆଯାଇଥିଲା ଗୋଟିଏ ଗୋଟିଏ ଟାବଲେଟ୍‌ । ସେଥିରେ ସ୍ୱତନ୍ତ୍ର ଆପ୍‌ ଇନଷ୍ଟଲ୍‌ କରାଯାଇଛି । ଯାହାର ତଦାରଖ କରୁଛନ୍ତି ସ୍ୱତନ୍ତ୍ର ଅଧିକାରୀ । ପାସପୋର୍ଟ ଭେରିଫିକେସନ୍‌ ପାଇଁ ଏଣିକି ଆଉ ଥାନାକୁ ଯିବାକୁ ପଡୁନି । ଘରେ ପହଞ୍ଚୁଛି ପୋଲିସ ।

ଓଡ଼ିଶା ପୋଲିସର ଏଭଳି ପଦକ୍ଷେକୁ ପାସପୋର୍ଟଧାରୀ ସ୍ୱାଗତ କରିଛନ୍ତି । ସେପଟେ ସେପ୍ଟେମ୍ବର ମାସର ୧୫ ଦିନରେ କମିଶନରେଟ ପୋଲିସ ପାଖକୁ ଯାଞ୍ଚ ପାଇଁ ଆସିଥିଲା ୧ହଜାର ୭୯ ଆବେଦନ । ମାତ୍ର ୬ ଦିନରେ ପୋଲିସ ୪୯୩ଟି ପାସପୋର୍ଟର ଭେରିଫିକେସନ୍‌ କରିଥିଲା । ପାସପୋର୍ଟ ଭେରିଫିକେସନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ପୋଲିସ । ଏଥିସହ ପୋଲିସ-ପବ୍ଲିକ ସମ୍ପର୍କ ଆହୁରି ନିବିଡ଼ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.