ଆଚ୍ଛା ତୁମ ଚାନ୍ଦା ମାଗିବାଟା କଣ ଦାଦାବଟି କୁହାଯିବନି? ଗାଡ଼ି ଚାଳକଙ୍କଠାରୁ ଖୁଲମଖୁଲା ବଟି ଆଦାୟ କରୁଛନ୍ତି ଚଣ୍ଡିଖୋଲ ଟ୍ରାଫିକ କର୍ମଚାରୀ

ଯାଜପୁର(କେନ୍ୟୁଜ୍): ଚଣ୍ଡିଖୋଲ ଟ୍ରାଫିକ ଥାନାରେ କାର୍ଯ୍ୟରତ ଓଏପିଏଫ୍ କନଷ୍ଟେବଳ ୧୬ ନମ୍ବର ଜାତୀୟ ରାଜପଥର ଶଙ୍ଖରୀଡ଼ିହ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ମଟର ତନଖି କରିବା ସମୟରେ ଜଣେ ଗାଡ଼ି ଚାଳକଙ୍କଠାରୁ ଖୁଲମଖୁଲା ବଟି ଆଦାୟ କରୁଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମର ଭାଇରାଲ୍ ହୋଇଛି । ମାତ୍ର ୧୯ ସେକେଣ୍ଡର ଏହି ଭିଡ଼ିଓଟିରେ ସେହି କନଷ୍ଟେବଳ ଜଣକ ଜଣେ ଟ୍ରକ୍ ଚାଳକଙ୍କୁ ବଟି ମାଗୁଛନ୍ତି, ସେ କମ୍ ଟଙ୍କା ଦେବାରୁ ସେହି କନଷ୍ଟେବଳ ସେତିକି ଗ୍ରହଣ କରିବାକୁ ଅମଙ୍ଗ ହେବା ପରେ ଚାଳକ ଜଣକ ପୁଣି ଅଧିକ କିଛି ଟଙ୍କା ମିଶାଇ ଦେବା ପରେ ସେ ତାହାକୁ ଗ୍ରହଣ କରୁଥିବା ବେଳେ ଅନ୍ୟଜଣେ କନଷ୍ଟେବଳ ସେଠାରେ ଉପସ୍ଥିତ ରହି ଏସବୁକୁ ଦେଖୁଥିବାର ଦୃଶ୍ୟ ରହିଛି ।

ଚଣ୍ଡିଖୋଲ ଏକ ସହରାଞ୍ଚଳ ନୁହେଁ କିମ୍ୱା ଏଠାରେ ବି କୌଣସି ନୋଟିଫାଏଡ୍ ନୋ ପାର୍କିଂ ଜୋନ୍ ନାହିଁ । ମାତ୍ର ଚଣ୍ଡିଖୋଲ ଟ୍ରାଫିକ ଥାନା ପକ୍ଷରୁ ପ୍ରତ୍ୟହ ଚଣ୍ଡିଖୋଲ ବଜାରର ସର୍ଭିସ୍ ରୋଡ଼ କଡ଼ରେ ପାର୍କିଂ ହେଉଥିବା ଚାରି ଚକିଆ ଯାନ ସମେତ ଜାତୀୟ ରାଜପଥ ଓ ବିଭିନ୍ନ ଗ୍ରାମୀଣ ରାସ୍ତାକୁ ଯାଇ ସେଠାରେ ଚଳାଚଳ କରୁଥିବା ଗାଡ଼ି ଗୁଡ଼ିକୁ ଅଟକାଇ ସେହି ଗାଡ଼ିର ଚାଳକ ଓ ମାଲିକ ମାନଙ୍କଠାରୁ ଜରିମାନା ଚାଲାଣ କରିବାର ଡର ଦେଖାଇ ବଟି ଆଦାୟ କରାଯାଉଥିବା ନେଇ ଅଭିଯୋଗ ହେଉଛି।

chandikhol

ପୂର୍ବରୁ ମଧ୍ୟ ଚଣ୍ଡିଖୋଲ ଅଞ୍ଚଳର ଆଇନଜୀବୀ ଉଦୟନାଥ ସାହୁଙ୍କ ଗାଡ଼ି ନମ୍ବରର ଫଟୋ ଉଠାଇ ନେଇ ପରବର୍ତ୍ତୀ ସମୟରେ ସେହି ଫଟୋକୁ ବ୍ୟବହାର କରି ବିନା କାରଣରେ ସେହି ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରି ଅନଲାଇନ୍ ମାଧ୍ୟମରେ ଚାଲାଣ କଟାଯାଇଥିଲା। ଯାହାକୁ ନେଇ ଶ୍ରୀ ସାହୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏନେଇ ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀଙ୍କୁ ସମନ କରାଯିବା ସହ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି। ତେବେ ଚଣ୍ଡିଖୋଲ ଟ୍ରାଫିକ ଥାନା ପୋଲିସ ପୂର୍ବରୁ ଲୋକଙ୍କୁ ଅସୁବିଧାରେ ପକାଉଥିବା ନେଇ ଯାହା ଅଭିଯୋଗ ହୋଇ ଆସୁଥିଲା ଏହି ଭିଡ଼ିଓଟି ସାମ୍ନାକୁ ଆସିଲା ପରେ ତାହା ପ୍ରମାଣିତ କରିଛି। ଏଦିଗରେ ଜିଲ୍ଲା ଏସପି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।