ଅଧାରେ ଅଟକିଥିଲା ବିଷ୍ଣୁଙ୍କ ବାହାଘର, ଥାନାରେ ଏଭଳି ନିଷ୍ପତ୍ତି ପରେ ପଡିଲା ହାତଗଣ୍ଠି

ପ୍ରେମ ପାଇଁ ଚାଲିଥିଲା ହାଇଡ୍ରାମା । ପ୍ରେମିକର ବାହାଘର ହେଉଥିବା ଜାଣି ଥାନାରେ ପହଁଚିଲା ପ୍ରେମିକା । ଥାନା ପୋଲିସ୍ ଯାଇ ବର ବେଶରେ ଦେଦୀ ଉପରେ ବସିଥିବା ପ୍ରେମିକକୁ ସିଧା ଥାନାକୁ ଉଠାଇ ଆଣିଲା । ଏଭଳି ଏକ ଘଟଣା ଗତକାଲି ବେଶ୍ ଚର୍ଚ୍ଚାରେ ଥିଲା ।

ସୁନ୍ଦରଗଡ଼(କେନ୍ୟୁଜ୍‌): ପ୍ରେମ ପାଇଁ ଚାଲିଥିଲା ହାଇଡ୍ରାମା । ପ୍ରେମିକର ବାହାଘର ହେଉଥିବା ଜାଣି ଥାନାରେ ପହଁଚିଥିଲା ପ୍ରେମିକା । ଆଉ ପ୍ରେମିକାର ଅଭିଯୋଗ ଶୁଣି ପୋଲିସ୍ ଯାଇ ବର ବେଶରେ ଦେଦୀ ଉପରେ ବସିଥିବା ପ୍ରେମିକକୁ ସିଧା ଥାନାକୁ ଉଠାଇ ଆଣିଲା । ଏଭଳି ଏକ ଘଟଣା ଗତକାଲି ବେଶ୍ ଚର୍ଚ୍ଚାରେ ଥିଲା । ତେବେ ଶେଷରେ ଘଟଣାର ମୋଡ କୁଆଡେ ଗଲା କଣ ହେଲା ସେହି ଖବର ଜାଣିବାକୁ ସଭିଏଁ ଚାହିଁରହିଥିବେ । ତେବେ ମନେ ପକାଇଦେଉଛୁ କି , ସୋମବାର ଦିନ ବର ବେଶରେ ଧରୁଆ ଡିହି ବସ୍ତିକୁ ଆସୁଥିବା ସମ୍ବଲପୁର ଜିଲ୍ଲା ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗଙ୍କୁ ପୋଲିସ ଅଧା ବାଟରୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା ।

ଧରୂଆ ଡିହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା । କିନ୍ତୁ ସେହିଦିନ ରାତି ୧୦ ଟା ରେ ଯୁବତୀ ଜଣକ ମାମଲା ପ୍ରତ୍ୟାହାର କରି ନେଇଥିବା ଜଣା ପଡିଛି । ବିଷ୍ଣୁ ୨ ଜଣଙ୍କୁ ବିବାହ କରିବ ବୋଲି ଥାନାରେ ଲିଖିତ ଦେଇଥିଲେ। କିନ୍ତୁ ପ୍ରେମିକା ତାଙ୍କ ସହ ସୁଖରେ ରହି ପାରିବେ ନାହିଁ ବୋଲି ଜାଣିବା ପରେ ରାଜି ହୋଇନଥିଲେ । ଶେଷକୁ ସେମାନଙ୍କ ପ୍ରେମର ସନ୍ତକ ୫ ବର୍ଷର ଶିଶୁର ଭରଣପୋଷଣ ଖର୍ଚ୍ଚ ଦେବେ ବୋଲି ବିଷ୍ଣୁ ଲିଖିତ ଚୁକ୍ତି କରିବା ପରେ ଯୁବତୀ ଜଣକ ମାମଲା ପ୍ରତ୍ୟାହାର କରିଥିଲେ ।

ଅନ୍ୟପଟେ ବିଷ୍ଣୁ ନୂଆ କନିଆର ହାତଧରି ଯଥାରୀତି ନୂଆ ସଂସାର ଆରମ୍ଭ କରିଥିବା ସୂଚନା ମିଳିଛି । ଗତ ରବିବାର ଯୁବତୀ ଧରୁଆଡିହି ଥାନା ପହଞ୍ଚି ଅଭିଯୋଗ କରିଥିଲେ ଯେ ୭ ବର୍ଷ ପୂର୍ବେ ଦୁହିଁଙ୍କ ଭିତରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରହିଥିଲା । ପ୍ରେମିକା ଗର୍ଭବତୀ ହେବା ପରେ ବିଷ୍ଣୁ କାହାକୁ କିଛି ନ ଜଣାଇ ତାଙ୍କୁ ଛାଡି ଚେନ୍ନାଇ ଚାଲି ଯାଇଥିଲେ । ପୀଡ଼ିତାଙ୍କ ସହ ଆଉ ସଂପର୍କ ରଖିନଥିଲେ  ।

ପ୍ରେମିକାର କୋଳରେ ପୁଅ ଜନ୍ମ ହେଲାପରେ ସେ ବହୁ ଚେଷ୍ଟା କରିଥିଲେ ଯୋଗାଯୋଗ କରିବା ପାଇଁ କିନ୍ତୁ ବିଷ୍ଣୁ ମୋବାଇଲ ନମ୍ବର ବଦଳାଇ ଦେଇଥିବାରୁ ସେବେ ଠାରୁ ଆଉ କଥା ହୋଇପାରି ନଥିଲେ । ଭାଗ୍ୟକୁ ଆଦରି କୁନି ପୁଅ ସହ ପ୍ରେମିକା ଜଣକ ପଡ଼ି ରହିଥିଲେ ନିଜ ମା ଘରେ । ଅନ୍ୟପଟେ ବିଷ୍ଣୁ ୫ ବର୍ଷ ଚେନ୍ନାଇରେ ରହି ସପ୍ତାହେ ତଳେ ଗାଁ କୁ ଫେରି ବିବାହ ପାଇଁ ସ୍ଥିର କରିଥିଲେ । କୌଣସି ସୂତ୍ରରୁ ପ୍ରେମିକା ବିଷ୍ଣୁଙ୍କ ବିବାହ ଖବର ପାଇ ଗୋବିନ୍ଦପୁର ଥାନାକୁ ଗତ ୧୬ ତାରିଖ ଅଭିଯୋଗ କରିବା ପାଇଁ ଯାଇଥିଲେ ହେଲେ ପୋଲିସ ତାଙ୍କୁ ଧରୁଆ ଡିହି ଥାନାକୁ ପଠାଇ ଦେଇଥିଲେ । ରବିବାର ସକାଳେ ସେ ଧରୁଆ ଡିହି ଥାନାରେ ଏତଲା ଦେବା ପରେ ପୋଲିସ୍ ବର ବେଶରେ ବରଯାତ୍ରୀ ସହ ବାହାରିଥିବା ବିଷ୍ଣୁ ଙ୍କୁ ଅଧା ବାଟରୁ ଉଠାଇ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.