ଆଜି ସ୍ୱର୍ଗତ ମିହିର ଦାସଙ୍କ ଜୟନ୍ତୀ, କଟକର ଶିଳ୍ପୀ କୁମ୍ଭାର ସାହିରେ ଅନାବରଣ ହେଲା ତାଙ୍କ ମାଟିର ପ୍ରତିମୂର୍ତ୍ତି

କଟକ(କେନ୍ଯୁଜ୍): ମାଟିରେ ମିହିର । କଟକର ଶିଳ୍ପୀ କୁମ୍ଭାର ସାହିରେ ଅନାବରଣ ହେଲା ଅଭିନେତା ସ୍ୱର୍ଗତ ମିହିର ଦାସଙ୍କ ମାଟିର ପ୍ରତିମୂର୍ତ୍ତି । ଆଜି ମିହିରଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରମାନେ ତାଙ୍କୁ ଦେଇଛନ୍ତି ନିଜ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ଓଲିଉଡର ବହୁ ଅଭିନେତା ଆଜି ଶିଳ୍ପୀ କୁମ୍ଭାର ସାହି ଆସି ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ବହୁ କଳାପ୍ରେମୀ, ଶାନ୍ତି କମିଟି କର୍ମକର୍ତ୍ତା, ରାଜନେତା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆସି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଭିନେତା ମିହିରଙ୍କ ସାତ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ମାଟିରେ ଅତି ନିଖୁଣ ଭାବେ ତିଆରି କରିଛନ୍ତି ଶିଳ୍ପୀ । ଏଥିପାଇଁ ୧୫ ଜଣ କାରିଗରଙ୍କୁ ଲାଗିଛି ୧୦ ଦିନ ସମୟ । ପ୍ରତିମୂର୍ତ୍ତିକୁ କଳିଙ୍ଗ ଷ୍ଟୁଡିଓ କିମ୍ବା ଅନ୍ୟ କୌଣସି ବିଶେଷ ସ୍ଥାନରେ ସଂରକ୍ଷିତ କରି ରଖିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି କଳାକାର ।

ଏହି ଅବସରରେ ଉଠିଛି ସ୍ୱର୍ଗତ ମିହିର ଦାସଙ୍କ ଶ୍ରେଷ୍ଠ କୃତୀ “ମାଟିର ବନ୍ଧନ” ଚଳଚ୍ଚିତ୍ରର ମୁକ୍ତିଲାଭ ପ୍ରସଙ୍ଗ । ୨୦୧୨ରୁ ଫିଲ୍ମଟିର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାହା ଏଯାଏ ମୁକ୍ତିଲାଭ କରିପାରି ନାହିଁ । ଜଣେ ମୂର୍ତ୍ତି କାରିଗରର ଜୀବନୀ ଉପରେ ଆଧାରିତ ଏହି ସିନେମାଟି ଶୀଘ୍ର ମୁକ୍ତିଲାଭ କରିବା ଉଚିତ ବୋଲି ସିନେ କଳାକାର ଓ ଶିଳ୍ପୀ କହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ସେମାନେ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.