Below header

ଐତିହ୍ୟର ସୁରକ୍ଷା ପାଇଁ ‘ପୋତାଗଡ଼ ମହୋତ୍ସବ’

ଗଞ୍ଜାମ (କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲାରେ ଐତିହାସିକ ପର୍ଯ୍ୟଟନୀ ସ୍ଥଳୀ ହେଉଛି ପୋତାଗଡ଼ । ତେବେ ରକ୍ଷଣା ବେକ୍ଷଣର ଅଭାବରୁ ପୂର୍ବରୁ ରହିଥିବା ଏହି ସ୍ଥାନର କୀର୍ତ୍ତି ଓ ଐତିହ୍ୟ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ତେଣୁ ପୁଣି ସେହି ଐତିହ୍ୟକୁ ପୁନରୁଜ୍ଜୀବିତ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଛି ପୋତାଗଡ଼ ସୁରକ୍ଷା ମହୋତ୍ସବ କମିଟି । ପ୍ରଥମ ଥର ପୋତାଗଡ଼ ପରିସରରେ ଆୟୋଜିତ ହୋଇଛି ଐତିହାସିକ ପୋତାଗଡ଼ ମହୋତ୍ସବ-୨୦୧୯। ଏହି ମହୋତ୍ସବ ମାଧ୍ୟମରେ ପୋତାଗଡ଼ର ବିଶେଷତ୍ୱ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବା ସହ ବିଭିନ୍ନ ଲୋକକଳାକୁ ନେଇ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାର ବେଶ୍ ମଜା ଉଠାଇଥିଲେ ଗଞ୍ଜାମ ବାସିନ୍ଦା ।

POTAGAD-2
ଗଂଜାମ ସହରରୁ ମାତ୍ର ୨ କିମି ଦୂରରେ ରହିଛି ପୋତାଗଡ ପର୍ଯ୍ୟଟନସ୍ଥଳୀ । ଋଷିକୂଲ୍ୟା ନଦୀ ମୁହାଣରେ ଅବସ୍ଥିତ ଏହି ଐତିହ୍ୟ ସଂପନ୍ନ ପୋତାଗଡ ଏପର୍ଯ୍ୟନ୍ତ ରାଜ୍ୟ ସରକାର ତଥା ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି । ଏହି ପ୍ରାକୃତିକ ବନ୍ଦରର ଭଗ୍ନ ବତୀଘର, ଗୁପ୍ତଦ୍ୱାର, ଘୋଡାଶାଳ ଭଗ୍ନ ଅବସ୍ଥାରେ ପଡ଼ି ରହିଛି । ସୁଦୂର ପ୍ରାଚ୍ୟଦେଶ, ଦକ୍ଷିଣପୂର୍ବ ଏସିଆ ଓ ଆଫ୍ରିକା ଦ୍ୱୀପପପୁଞ୍ଜ ସହିତ ପ୍ରାଚୀନ କଳିଙ୍ଗରେ ବାଣିଜ୍ୟ ସଂପର୍କ ଥିଲା । ଏହା ଅଧିକ ସମୃଦ୍ଧ ହୋଇଥିଲା ବ୍ରିଟିଶ ଶାସନ କାଳରେ । ଏହି ପୋତାଗଡ ମୁସଲମାନ ଶାସକମାନଙ୍କ କୀର୍ତ୍ତି ବୋଲି ଅନୁମାନ କରାଯାଏ ।

POTAGAD-3
ପୋତାଗଡ ବେଶ ମନୋରମ ଓ ଐତହ୍ୟ ସଂପନ୍ନ ହୋଇଥିବା ବେଳେ ଏହାକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମଧ୍ୟ ଦେଇଛନ୍ତି । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପର୍ଯ୍ୟଟନ ସ୍ଥଳୀ ନିଜର ସୌନ୍ଦର୍ଯ୍ୟ ଓ ଐତିହ୍ୟ ହରାଇବାକୁ ବସିଲାଣି । ତେଣୁ ସେହି ପୁରାତନ ଐତିହ୍ୟ ଫେରାଇ ଆଣିବା ନିମନ୍ତେ ପ୍ରୟାସ ଆରମ୍ଭ କରିଛି ପୋତାଗଡ଼ ସୁରକ୍ଷା ମହୋତ୍ସବ କମିଟି । କମିଟି ପକ୍ଷରୁ ପୋତାଗଡ଼ ପରିସରରେ ଅନୁଷ୍ଠିତ ହୋଇଯାଇଛି ଦୁଇ ଦିନିଆ ଐତିହାସିକ ପୋତାଗଡ଼ ମହୋତ୍ସବ । ଏହା ସହିତ ସ୍ଥାନୀୟ ଲୋକକଳାର ବିକାଶ ନିମନ୍ତେ ପୋତାଗଡ଼ ମହୋତ୍ସବ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ରାମଚନ୍ଦ୍ର ପଣ୍ଡା । ତେବେ ଏହି ଐତିହାସିକ ପୋତାଗଡ଼ ମହୋତ୍ସବ ସବୁ ବର୍ଷ ଆୟୋଜିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡ଼ାଯିବ ବୋଲି ପ୍ରକାଶ କରିଛନ୍ତି ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଶୁଂ ପ୍ରଧାନ ।

POTAGAD-4
ଜାତୀୟ ରାଜପଥରୁ ପୋତାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ, ପାର୍କିଂ ବ୍ୟବସ୍ଥା, ପାଥ୍‌ ଓ୍ବେ ନିର୍ମାଣ ଏବଂ ଆଲୋକୀକରଣ ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏବେ ହାତକୁ ନିଆଯାଇଛି । ୮୫ ଲକ୍ଷ ଟଙ୍କା ବ୍ୟୟରେ ଆଇସିଜେଡ଼ଏମପି ପୋତାଗଡ଼ର ସଂରକ୍ଷଣ କାର୍ଯ୍ୟ ଜାରି ରଖିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଓ୍ବାଲର୍ଡ଼ ବ୍ୟାଙ୍କ ତରଫରୁ ଅଢ଼େଇ କୋଟି ଟଙ୍କା ବ୍ୟୟରେ ଏହି ପର୍ଯ୍ୟଟନ ସ୍ଥଳୀର ଆନୁଷଙ୍ଗିକ ବିକାଶ କରାଯିବା ସହିତ ଅଧିକରୁ ଅଧିକ ପର୍ଯ୍ୟଟକ କିଭଳି ଏହି ସ୍ଥାନକୁ ଆସିବେ ସେ ନେଇ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ପ୍ରକାଶ କରିଛନ୍ତି ପ୍ରତ୍ନତତ୍ତ୍ବ ବିଭାଗର ଅଧ୍ୟକ୍ଷା ସଂଘମିତ୍ରା ଶତପଥୀ ।
ଉଦଯାପନୀ ସଂଧ୍ୟାରେ ଦିଗପହଣ୍ଡିର ଘୋଡ଼ାନାଚ, ଗଞ୍ଜାମର ସମ୍ବଲପୁରୀ ନୃତ୍ୟ, ଚଢ଼େଣା ଚଢ଼େୟାଣୀ ନୃତ୍ୟ ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ପରିବେଷଣ କରିଥିଲେ । ଦୁଇ ଦିନିଆ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ୍‌ କୁମାର ରାୟ ଯୋଗ ଦେଇଥିଲେ ।

POTAGAD-5

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.