ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ବିଧାନସଭାର ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ। ଏଥିପାଇଁ ସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ପଦ ପାଇ ନିର୍ବାଚନ ହେବ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାର ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ। ଏଥିପାଇଁ ସେ ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପ୍ରମିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ।

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ପଦ ପାଇ ନିର୍ବାଚନ ହେବ। ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ। କିଏ ହେବ ବାଚସ୍ପତି ସେନେଇ ଚର୍ଚ୍ଚା ଜୋର ଧରିଥିଲା। ଅନେକ ବରିଷ୍ଠ ନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଗତକାଲି ବିଜେଡି ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

ପ୍ରମିଳା ମଲ୍ଲିକ ହେବେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ବିଞ୍ଝାରପୁରରୁ ସେ ୬ ଥରର ବିଧାୟିକା ପ୍ରମିଳା ମଲ୍ଲିକ । ୧୯୯୦-୯୫ ରେ ଜନତା ଦଳରୁ ଏବଂ ୨୦୦୦ ମସିହାରୁ ନିରବଛିନ୍ନ ଭାବେ ୫ ଥର ବିଜେଡିରୁ ଜିତି ଆସିଛନ୍ତି। ଏ ସମୟ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି। ୨୦୦୪ରୁ ୨୦୦୯ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ୨୦୦୯ରୁ ୨୦୧୧ ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ୨୦୧୯ରୁ ୨୦୨୨ ଜୁନ ମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଛନ୍ତି। ଗତ ଜୁନ ମାସରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସମୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.