ଓଡ଼ିଶା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି, ବାଣୀବିହାରର ପ୍ଲାଟିନମ ଜୁବଲି ସମାରୋହରେ ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର(କେନ୍ୟୁଜ୍): ବାଣୀବିହାରର ପ୍ଲାଟିନମ ଜୁବଲି ସମାରୋହରେ ଯୋଗ ଦେଇ ଓଡ଼ିଶା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିବା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେଇଛି । ଏଠାକାର ବହୁ ଛାତ୍ର ଦେଶକୁ ଗୌରବ ଆଣିଦେଇଛନ୍ତି । ୭୫ ବର୍ଷ ପାଳନ କରି ବାଣୀବିହାର ଶିକ୍ଷାର ମନ୍ଦିର ପାଲଟିଛି । ନୂଆ ଚିନ୍ତା ଓ ଚେତନାର କେନ୍ଦ୍ରସ୍ଥଳ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏହାକୁ ଆଗକୁ ଆଗେଇ ନେବାକୁ ପୂରାତନ ଛାତ୍ରମାନେ ଆଗେଇ ଆସିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ଵାନ ଦେଇଛନ୍ତି ।ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଛାତ୍ର ଓ ଶିକ୍ଷକମାନେ ଏକ ଶିକ୍ଷାନୁଷ୍ଠାନର ଆତ୍ମା ।

ଶିକ୍ଷାନୁଷ୍ଠାନକୁ ଶିଖରରେ ପହଞ୍ଚାଇବାକୁ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ସୁସଂପର୍କ ଅତ୍ୟନ୍ତ ଜରୁରୀ । ସୁସଂପର୍କ ଦ୍ୱାରା ଶୌକ୍ଷିକ ଶ୍ରେଷ୍ଠତା ଆଣିବା ସହ ଅନୁଷ୍ଠାନର ଗୌରବ ବୃଦ୍ଧି କରିଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷାର ପ୍ରକୃତ ଲକ୍ଷ୍ୟ କିଛି ଭିନ୍ନ ଧରଣର ଚିନ୍ତା ବିକାଶ କରିବା, ନେତତୃ ନେବାର ଦକ୍ଷତା ଓ ଛାତ୍ରସମୁହର ଚେତନା ବୃଦ୍ଧି କରିବା । ଛାତ୍ରମାନେ ଜୀବିକା ନୁହେଁ, ବ୍ୟକ୍ତିତ୍ୱ ଗଠନ ପାଇଁ ଶିକ୍ଷା ଗ୍ରହଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ୧୯୪୩ ନଭେମ୍ବର ୨୭ ତାରିଖରେ ପ୍ରତିଷ୍ଠା ହୋଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.