Below header

ଶିକ୍ଷା ବ୍ୟବସ୍ଥାରେ ଆଉ ଏକ ସୁଯୋଗ ‘ରେଡିଓ ପାଠଶାଳା କାର୍ଯ୍ଯକ୍ରମ’, ଯାଜପୁର ଜିଲ୍ଲା ଶିକ୍ଷା ମଣ୍ଡଳ ପକ୍ଷରୁ ଆଗ୍ରହର ସହ କରାଯାଇଛି କାର୍ଯ୍ଯକାରୀ

ଯାଜପୁର ଟାଉନ: କୋରୋନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରେଡିଓ ପାଠଶାଳା କାର୍ଯ୍ଯକ୍ରମ। ଯାହାକୁ ଯାଜପୁର ଜିଲ୍ଲା ଶିକ୍ଷା ମଣ୍ଡଳ ପକ୍ଷରୁ ଆଗ୍ରହର ସହ କାର୍ଯ୍ଯକାରୀ କରାଯାଇଛି । ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କ୍ଷତିକୁ ଭରଣା କରିବାକୁ ରେଡ଼ିଓ ପାଠଶାଳାର ଆରମ୍ଭ ହୋଇଛି। ଅନେକ ସ୍ଥାନରେ ନେଟୱର୍କ ଜନିତ ସମସ୍ୟା ଯୋଗୁଁ ଶିକ୍ଷାଦାନରେ ସମସ୍ୟା ଦେଖାଦେଇଛି। ତେଣୁ ପାଠପଢାକୁ ନେଇ ଶିକ୍ଷକ ଠାରୁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ସମସ୍ତେ ଦ୍ୱନ୍ଦରେ ପଡିଛନ୍ତି । ସରକାର ଅନଲାଇନ ଜରିଆରେ ସବୁ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଇଂଟରନେଟ୍ ମୋବାଇଲ ଏବଂ ଉତମ ମୋବାଇଲ ନେଟ ୱର୍କ ସବୁ ସ୍ଥାନରେ ସମ୍ଭବ ନଥିବାରୁ ଅନଲାଇନ ଶିକ୍ଷାରୁ ପାଖାପାଖି ୭୦ ଭାଗ ପିଲା ବଂଚିତ ହେଉଛନ୍ତି । ଏହାରି ଭିତରେ ଶିକ୍ଷା ବିଭାଗର ରେଡିଓ ପାଠଶାଳା ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ସହାୟତା କରିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟ ସରକାର ସୋମବାର ଠାରୁ ଶୁକ୍ରବାର ଆକାଶବାଣୀ ଜରିଆରେ ଦୈନିକ ଦୁଇଟି କ୍ଲାସର ଭିନ୍ନଭିନ୍ନ ବିଷୟରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି । ଯାହାକୁ କି ଯାଜପୁର ଶିକ୍ଷା ମଣ୍ଡଳ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଂଚିବାର ଉଦ୍ୟମ କରାଯାଇଛି । ବ୍ଲକର ଶେଷଦେବ ବାସନ୍ତୀ ହାଇସ୍କୁଲର ଶିକ୍ଷକମାନେ ଗାଁକୁ ଗାଁ ବୁଲି ମାଇକ ଜରିଆରେ ରେଡିଓ ସଂଯୋଗ କରି ଛାତ୍ରଛାତ୍ରୀମାନଙ୍କୁ ରେଡିଓ ପାଠଶାଳାରେ ପାଠ ପଢ଼ାଇବା ସହ ଦୈନିକ ଏହା ଜରିଆରେ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ କହିଛନ୍ତି । ସେମାନେ ପୂଜା ମଣ୍ଡପ, ଭାଗବତ ଟୁଙ୍ଗି ଆଦି ସ୍ଥାନରେ ରେଡିଓ ରଖି ସାମାଜିକ ଦୂରତା ମଧ୍ୟରେ ୧୫ରୁ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣର ବ୍ୟବସ୍ଥା କରାଇଛନ୍ତି ।

ତେବେ ଶିକ୍ଷା ଅବଧି ମାତ୍ର ୧୫ ମିନିଟ ରହିଥିବାରୁ ଏହାର ସମୟ ବଢ଼ାଗଲେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୋଇପାରନ୍ତେ ବୋଲି ଅଭିଭାବକ ଓ ଶିକ୍ଷକ ମହଲରେ ଦାବି ହେଉଛି । ତଥାପି ସରକାରଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଯାଜପୁର ଶିକ୍ଷା ମଣ୍ଡପ ପକ୍ଷରୁ ଏହାର ପ୍ରଚାର ପାଇଁ କରାଯାଇଥିବା ଉଦ୍ୟମକୁ ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । କୋରୋନା ସମୟରେ କେବଳ ଇଣ୍ଟରନେଟ ମାଧ୍ୟମରେ ପାଠ ପଢା ନ କରି ରେଡ଼ିଓ ମାଧ୍ୟମରେ ପାଠ ପଢ଼ାଇବା ପାଇଁ କରିଥିବା ଉଦ୍ୟମ ପ୍ରଶଂସନୀୟ କାର୍ଯ୍ଯ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.