ଆଜି ସନ୍ଧ୍ୟାରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ ମାଣ୍ଡସ୍‌, ୧୦ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା!

କେନ୍ୟୁଜ୍: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଡିପ୍ରେସନ୍‌ ଆଜି ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଏବେ ଗଭୀର ଅବପାତ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅଛି । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ଏବେ ଘଣ୍ଟାପ୍ରତି ୧୨ କିଲୋମିଟ ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢୁଛି ଡିପ୍‌ ଡିପ୍ରେସନ୍‌ । ଅଧିକ ଘନୀଭୂତ ହୋଇ ଆଜି ସନ୍ଧ୍ୟାରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ ମାଣ୍ଡସ୍‌ । ଏହାପରେ ସ୍ଥଳଭାଗ ଆଡ଼େ ମୁହାଁଇବ ବାତ୍ୟା ।

କାଲି ସକାଳେ ଉତ୍ତର ତାମିଲନାଡୁ-ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ । ପରବର୍ତ୍ତୀ ୪୮ ଘଣ୍ଟା ଯାଏ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ । ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶକୁ ଜାରି ହୋଇଛି ସାଇକ୍ଲୋନ୍‌ ଆଲର୍ଟ । ସାଙ୍ଗରେ ପ୍ରବଳ ବର୍ଷା ପବନ ନେଇ ଆସୁଛି ବାତ୍ୟା ମାଣ୍ଡସ୍‌ । ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଅଧିକାଂଶ ସ୍ଥାନରେ ଆଜିଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଓ ୯ ତାରିଖରେ ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ସେହିପରି ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘଣ୍ଟାପ୍ରତି ବହିବ ୪୫ରୁ ୫୫ କିଲୋମିଟର ବେଗର ପବନ । ୮ ତାରିଖରେ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଅଧିକ ରହିବ ପବନର ବେଗ ।

କାଲି ସନ୍ଧ୍ୟାରେ ଘଣ୍ଟାପ୍ରତି ପବନର ବେଗ ୮୦ରୁ ୯୦ କିଲୋମିଟର ଓ ଏହା ବଢ଼ି ଶହେ କିଲୋମିଟର ଛୁଇଁପାରେ । ବାତ୍ୟା ମାଣ୍ଡସର ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ । କିନ୍ତୁ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.