Below header

ଅସହାୟ ରଞ୍ଜିତାଙ୍କୁ ସାହା ହେଲେ କିସ୍‌ ଫାଉଣ୍ଡେସନ୍‌ ଓ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର/ଟାଙ୍ଗୀ : ବେସାହାରା ରଞ୍ଜିତାଙ୍କୁ କିସ୍‌ ଫାଉଣ୍ଡେସନର ସହାୟତା। ଖୋର୍ଦ୍ଧା ଜିଲ୍ଲା ହରିକୁଣ୍ଡବରଡି ଗାଁର ରଞ୍ଜିତା ନିଜ ବାପା ମାଆଙ୍କୁ ହରାଇବା ପରେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଥିଲେ। ନିଜର ଚେଷ୍ଟା ବଳରେ ଏକ ସପିଂ ମଲ୍‌ରେ କାମ କରୁଥିଲେ ମଧ୍ୟ ପାଠପଢା ପ୍ରତି ତାଙ୍କର ଖୁବ୍‌ ଆଗ୍ରହ ରହିଥିଲା। କିଟ୍‌ ଓ କିସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନଜରକୁ ଏକଥା ଆସିବା ପରେ ସେ ରଞ୍ଜିତାଙ୍କ ସମ୍ପର୍କରେ ସବୁ କଥା ବୁଝିଥିଲେ। ଆଜି ଡକ୍ଟର ସାମନ୍ତ କିସ୍‌ରେ ରଞ୍ଜିତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କିସ୍‌ରେ ରଞ୍ଜିତା ଚାକିରି କରିବା ସହ ଇଚ୍ଛା କଲେ ଅଧିକ ପାଠ ପଢି ପାରିବେ।

ଖୋର୍ଦ୍ଧା ଜିଲ୍ଲା ହରିକୁଣ୍ଡବରଡି ଗାଁର ସ୍ୱର୍ଗତ ଅମିୟ ବିଶ୍ୱାଳ ଓ କୁମାରୀ ବିଶ୍ୱାଳଙ୍କ ଝିଅ ରଞ୍ଜିତା ନିଜ ବାପା ମାଆଙ୍କୁ ହରାଇବା ପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ରଞ୍ଜିତାଙ୍କୁ ମିଶାଇ ପରିବାରର ୪ ଭଉଣୀ। ସାନ ଝିଅ ରଞ୍ଜିତାଙ୍କ ଜନ୍ମ ହେବାର ବର୍ଷକ ପରେ ମାଆ କୁମାରୀ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ବାପା ମୂଲ ଲାଗି ୪ ଛୁଆଙ୍କ ମୁହଁରେ ଦାନା ଦେଉଥିଲେ। ୪ ଝିଅଙ୍କୁ କଷ୍ଟରେ ଚଳାଇ ୩ ଝିଅଙ୍କ ବିବାହ କରି ଦେଇଥିଲେ । ସାନଝିଅ ରଞ୍ଜିତାଙ୍କୁ ମଧ୍ୟ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଇଥିଲେ ।

ହେଲେ ବର୍ଷେ ପରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅମିୟଙ୍କ ଦେହାନ୍ତ ହୋଇଥିଲା । ଶେଷରେ ଦାଦା ଖୁଡ଼ୀଙ୍କ ନିକଟରେ ଆଶ୍ରୟ ନେଲେ ରଞ୍ଜିତା। ସେଠାରୁ ନିରାଶ ହେବା ପରେ ନିଜ ସାହସ ଓ ଇଚ୍ଛା ଯୋଗୁଁ ଏକ ପ୍ରତିଷ୍ଠାନରେ ତାଲିମ୍‌ ଗ୍ରହଣ କରି ଭୁବନେଶ୍ୱରର ଏକ ସପିଂ ମଲରେ କାମ କରୁଥିଲେ। ତେବେ ପାଠ ପଢ଼ିବାର ପ୍ରବଳ ଇଚ୍ଛା ଥିବାରୁ ଏହି କାମରେ ତାଙ୍କର ମନ ଲାଗୁନଥିଲା । ଏଥିପାଇଁ ସେ ଗଣମାଧ୍ୟମକୁ ଜଣାଇବା ପରେ କିଟ୍‌ ଓ କିସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା । ଡକ୍ଟର ସାମନ୍ତ ରଞ୍ଜିତାଙ୍କ ବିଷୟରେ ସବୁ ବୁଝିବା ପରେ ତାଙ୍କୁ ଡାକି କଥା ହୋଇଥିଲେ।

ରଞ୍ଜିତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଡକ୍ଟର ସାମନ୍ତ କିସ୍‌ ଫାଉଣ୍ଡେସନକୁ ପରାମର୍ଶ ଦେଇଥିଲେ । ଏହା ସହ କରୋନା ଯୋଗୁଁ ରଞ୍ଜିତାଙ୍କୁ ଡାକିବାରେ ବିଳମ୍ବ ହୋଇଥିବାରୁ ଦୁଃଖ ପ୍ରକାଶ କରିଥିଲେ । ଆଜି ଡକ୍ଟର ସାମନ୍ତ କିସ୍‌ରେ ରଞ୍ଜିତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । କିସ୍‌ରେ ରଞ୍ଜିତା ଚାକିରି କରିବା ସହ ଇଚ୍ଛାକଲେ ଅଧିକ ପାଠ ପଢି ପାରିବେ।

ଏଭଳି ସହଯୋଗ ପାଇଁ ରଞ୍ଜିତା ଡକ୍ଟର ସାମନ୍ତ ଓ କିସ୍‌ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ହରିକୁଣ୍ଡବରଡ଼ି ଗ୍ରାମବାସୀ ଡକ୍ଟର ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.