ଅସ୍ତ୍ରୋପଚାରରେ ଆଉ ଏକ ଇତିହାସ ରଚିଲା ଏସସିବି, ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ

କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି ।

କଟକ (କେନ୍ୟୁଜ): କଟକ ଏସସିବି ମେଡିକାଲ କଲେଜରେ ପ୍ରଥମ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ  । ସଂପୂର୍ଣ୍ଣ ମାଗଣାରେ ଏହି ଚିକିତ୍ସା କରାଯାଇଛି । ଜଣେ ରକ୍ତ କର୍କଟ ରୋଗୀଙ୍କ ଶରୀରରେ ହାପଲୋ ପଦ୍ଧତିରେ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିବା ବେଳେ ଉଭୟ ଷ୍ଟେମ ସେଲ ଦାତା ଓ ଗ୍ରହୀତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି  ।  ହେମାଟୋଲୋଜି ବିଭାଗରେ ଏହି ଅସ୍ତ୍ରୋପଚାର ଏସସିବି ପାଇଁ ଆଉ ଏକ ଇତିହାସ ରଚିଛି  । ଏସସିବି ହେମାଟୋଲୋଜି ବିଭାଗରେ ୨୦୧୪ ଫେବ୍ରୁୟାରୀ ୨୬ତାରିଖରେ ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା । ଏହା ଦ୍ୱାରା ରକ୍ତ କର୍କଟ ରୋଗରେ ଆକ୍ରାନ୍ତଙ୍କଠାରେ ରକ୍ତ ସୃଷ୍ଟି କରୁଥିବା ଷ୍ଟେମ ସେଲ୍ ପ୍ରତିରୋପଣ କରାଯାଇଥାଏ । ଘରୋଇ ହସ୍ପିଟାଲରେ ଏହି ପ୍ରତିରୋପଣ ପାଇଁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଏସସିବିରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି ।

୨୦୧୪ ଏପ୍ରିଲ୍ ୨୩ତାରିଖରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ୫୪ ବର୍ଷୀୟ ଶକୁନ୍ତଳା ସାହୁଙ୍କ ପ୍ରଥମ ଅସ୍ଥିମଜ୍ଜା ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା । ଏହାର ପରଦିନ ଅର୍ଥାତ୍ ୨୪ତାରିଖରେ ଯାଜପୁର ଜିଲା ୫୭ ବର୍ଷୀୟ ଡି. ଜେନାଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିଲା । ଗୋଟିଏ ପରେ ଗୋଟିଏ ସଫଳ ପ୍ରତିରୋପଣ ପରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା । ଏଯାଏ ୧୪୬ଟି ସଫଳ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇସାରିଲାଣି । ପୂର୍ବ ଭାରତର କୌଣସି ସରକାରୀ ହସ୍ପିଟାଲ୍ ଏଯାବତ୍ ୧୪୬ ଅସ୍ଥିମଜ୍ଜା ପ୍ରତିରୋପଣ କରିବାରେ ଏସସିବି ପ୍ରଥମ ।

ପୂର୍ବରୁ ଏସସିବିରେ ଅଟୋଲୋଗସ ଓ ଆଲୋଜେନିକ ପଦ୍ଧତିରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଉଥିବା ବେଳେ ଏବେ ହାପଲୋ ଭଳି ଅତ୍ୟାଧୁନିକ କୌଶଳରେ ଅସ୍ତ୍ରୋପଚାର ସଫଳ ହୋଇ ପାରିଛି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି । ଆଲୋଜେନିକ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ଉଭୟ ଦାତା ଓ ଗ୍ରହୀତାଙ୍କ ହ୍ୟୁମାନ ଲୁକୋସାଇଟ ଆଣ୍ଟିଜେନ-ଏଚଏଲଏ ୯୦ ପ୍ରତିଶତରୁ ଅଧିକ ମେଳ ଖାଇବାର ଆବଶ୍ୟକତା ଥିବା ବେଳେ ହାପଲୋ ପଦ୍ଧତିରେ ୫୦ ପ୍ରତିଶତ ଏଚଏଲଏ ମେଳ ଖାଉଥିଲେ ମଧ୍ୟ ପ୍ରତିରୋପଣ ସମ୍ଭବପର ହୋଇଥାଏ । ଏସସିବିରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ପ୍ରଣାଳୀରେ ଅସ୍ଥିମଜ୍ଜା ପ୍ରତ୍ୟାରୋପଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.