Below header

ସଡ଼କ ଦୁର୍ଘଟଣା ରୋକିବାକୁ ଭିନ୍ନ ଏକ ଅଭିଯାନ : ବୁଲା ଗାଈ ଗୋରୁଙ୍କ ଦେହରେ ଲାଗିଲା ‘ରିଫ୍ଲେକଟିଭ୍‌ ଷ୍ଟିକର୍‌’

ଭୁବନେଶ୍ୱର (କେ ନ୍ୟୁଜ୍‌) : ବୁଲା ଗାଈ ଗୋରୁଙ୍କ ପାଇଁ ଅନେକ ସମୟରେ ଘଟୁଛି ସଡ଼କ ଦୁର୍ଘଟଣା । ବିଶେଷ କରି ଜାତୀୟ ରାଜପଥ ଏବଂ ସହର ରାସ୍ତାରେ ଉପରେ ଏହି ବୁଲା ଗାଈ ଗୋରୁ ସବୁ ଏଣେତେଣେ ବୁଲୁଥାନ୍ତି କିମ୍ବା ଶୋଇ ରହିଥାନ୍ତି । ବେଳେ ବେଳେ ଗାଡ଼ି ଚାଳକଙ୍କୁ ଏମାନେ ଦିଶନ୍ତି ନାହିଁ ଆଉ ଦୁର୍ଘଟଣା ଘଟେ । ନିକଟରେ ଯାହାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଥିଲା କଟକ ମହାନଦୀ ପୋଲ ଉପରେ । ଏକ ମଇଁଷି ସହିତ ଧକ୍କା ହେବା ଫଳରେ ଯାତ୍ରୀବାହୀ ବସ୍‌ ନଦୀ ଭିତରକୁ ଖସିପଡ଼ି ଜୀବନ ହାନି ଘଟିଥିଲା ।
ଏଭଳି ଘଟଣା ଏଡ଼ାଇବା ଲାଗି ଆରମ୍ଭ ହୋଇଛି ଏକ ଅଭିନବ ଉଦ୍ୟମ । ଓଡ଼ିଶା କଲିଂ ଫାଉଣ୍ଡେସନ୍‌ (ଓସିଏଫ୍‌) ପକ୍ଷରୁ ଆରଟିଓଙ୍କ ସହଯୋଗରେ ବୁଲା ଗାଈଗୁଡ଼ିକ ଶିଙ୍ଗ ଓ ବେକରେ ଏକ ପ୍ରକାର ସ୍ୱତନ୍ତ୍ର ଷ୍ଟିକର ଲଗାଯାଇଛି । ଏହି ଷ୍ଟିକର ଉପରେ ଗାଡ଼ି ଲାଇଟ୍‌ ପଡ଼ିଲେ ତାହା ଝଲସିବ ଏବଂ ଦୂରରୁ ଜାଣି ହେବ ଯେ ସାମନାରେ କୌଣସି ପଶୁ ରାସ୍ତା ଉପରେ ଅଛି । ଓସିଏଫ୍‌ ଏବଂ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ରାଜ୍ୟ ବ୍ୟାପି ଏହି ଅଭିଯାନ କରାଯାଉଛି । ଆଜି ଭୁବନେଶ୍ୱର ଆରଟିଓ ଠାରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି ।

ଦେଶ ତଥା ଆମ ରାଜ୍ୟରେ ପ୍ରତି ବର୍ଷ ସଡ଼କ ଦୁର୍ଘଟଣାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ଓ ପଙ୍ଗୁ ହେଉଛନ୍ତି । ବହୁ ସ୍ଥାନରେ ଏଭଳି ବୁଲା ଗାଈ ଗୋରୁ ଦୁର୍ଘଟଣାର କାରଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓସିଏଫ୍‌ ପକ୍ଷରୁ ଏହି ଭିନ୍ନ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ସ୍ଥାନୀୟ ଲୋକେ ସହଯୋଗ କରିବାକୁ ଫାଉଣ୍ଡେସନ୍‌ ପକ୍ଷରୁ ନିବେଦନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.