ମୋଦିଙ୍କ ଡବଲ୍ ଟୁର, ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଖୋର୍ଦ୍ଧା : ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ ସାଧାରଣ ସଭା ଆୟୋଜନ ସ୍ଥଳରେ ବିଜେପି ପକ୍ଷରୁ କରାଯାଇଛି ଭୂମିପୂଜନ ।

୧୯’ ନିର୍ବାଚନ ପାଇଁ ପାଇକଗଡ଼ ଖୋର୍ଦ୍ଧାରୁ ବିଗୁଲ ଫୁଙ୍କିବେ ମୋଦି । ଏହି ଅବସରରେ ୧୪ ହଜାର ୫ ଶହ ୨୩ କୋଟି ଟଙ୍କାରେ ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ । ଏହାପରେ ଜାନୁଆରୀ ୫ରେ ସେ ମୟୂରଭଞ୍ଜ ଗସ୍ତରେ ଆସିବେ । ସେହିପରି ଜାନୁଆରୀ ୧୬ରେ ଗଞ୍ଜାମ କିମ୍ବା ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ପାରନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ସମୟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା । ହେଲେ ଏବେ କୌଣସି ମିଶ୍ରଣ ପର୍ବ ନଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର କ’ଣ ରହିବ ପ୍ରଭାବ? ନିକଟରେ ଅନୁଷ୍ଠିତ ୫ଟି ରାଜ୍ୟର ନିର୍ବାଚନ ବେଳେ ମୋଦି ପ୍ରଚାର କରିଥିବା ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେପି ୭୦ ପ୍ରତିଶତ ଆସନରେ ହାରିଛି । ପ୍ରଧାନମନ୍ତ୍ରୀ ପ୍ରଚାର କରିଥିବା ନିର୍ବାଚନୀ କ୍ଷେତ୍ର ମଧ୍ୟରୁ ମଧ୍ୟପ୍ରଦେଶରେ ୪୨ ପ୍ରତିଶତ ଆସନ, ରାଜସ୍ଥାନରେ ୩୮ ପ୍ରତିଶତ ସିଟ୍‌ରେ ବିଜୟୀ ହୋଇଛି ବିଜେପି । ସେହିପରି ତେଲେଙ୍ଗାନାରେ ୦.୫ ପ୍ରତିଶତ ସିଟ୍‌ରେ ଦଳ ଜିତିଛି । ହେଲେ ଛତିଶଗଡ଼ ଓ ମିଜୋରାମରେ ଏହା ଶୂନ ପ୍ରତିଶତ ରହିଛି । ବିରୋଧୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତରେ କିଛି ପ୍ରଭାବ ପଡ଼ିବ ନାହିଁ ।

୨୦୧୯ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି । ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକସଂଗେ ହେବ । ଫୋକସରେ ଓଡ଼ିଶା ଥିବାରୁ ଆଗକୁ ପ୍ରଧାନମନ୍ତ୍ରୀ ଓ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବାରମ୍ବାର ଏଠାକୁ ଆସିବେ ।

ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା : 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବ କମିଶନରେଟ ପୋଲିସ । ଭୁବନେଶ୍ୱର ବିମାନବନ୍ଦରଠାରୁ ଆରମ୍ଭ କରି ଜଟଣି ପଯ୍ୟର୍ନ୍ତ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୨୫ଜଣ ଡିଏସପି ର‍୍ୟାଙ୍କର ପୋଲିସ ଅଧିକାରୀ ନିୟୋଜିତ ହେବେ । ୨ଜଣ ଏସ୍‌ପି, ୪ଜଣ ଅତିରିକ୍ତ ଏସ୍‌ପି ଓ ୧୫୦ଜଣ ଆଇଆଇସି ଓ ଏଏସଆଇ ମୁତୟନ ହେବେ । ଦାୟିତ୍ୱରେ ରହିବେ ଭୁବନେଶ୍ୱର ଡିସିପି ଅନୁପ ସାହୁ । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଁଞ୍ଚିବା ପରେ ହେଲିକପ୍ଟର ଯୋଗେ ଜଟଣୀ ଅରଗୁଳ ଆଇଆଇଟିକୁ ଯିବେ । ଜରୁରୀକାଳିନ ପରିସ୍ଥିତି ପାଇଁ ସଡକ ପଥରେ ଯିବାର ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । ଖୋର୍ଦ୍ଧା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.