Below header

ତିତଲିର ପ୍ରଭାବ ପରେ ଚାଲିଛି ଉଦ୍ଧାର କାର୍ଯ୍ଯ

ଭୁବନେଶ୍ବର (କେନ୍ଯୁଜ୍) : ରାଜ୍ୟର ତିତଲି ପ୍ରଭାବିତ ଅଞ୍ଚଳରେ ଜୋରସୋର ଚାଲିଛି ଉଦ୍ଧାର କାମ । ରାସ୍ତାରେ ପଡ଼ି ରହିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟକୁ ହଟାଉଛନ୍ତି ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ । ତୁରନ୍ତ ବିଜୁଳି ସେବାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ପକ୍ଷରୁ ଦିଆଯାଉଛି ଗୁରୁତ୍ୱ । ସେହିପରି ତିତଲି ପ୍ରଭାବ କମିବା ପରେ ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକମାନେ ଘରକୁ ଫେରୁଛନ୍ତି ।

ବିଭିନ୍ନ ସ୍ଥାନରେ ଗଛ ଉପୁଡିଛି, ରାସ୍ତା ଉପରେ ପଡ଼ିରହିଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି, ବାଧାପ୍ରାପ୍ତ ହୋଇଛି ବିଜୁଳି ସରବରାହ। ବାତ୍ୟା ତିତଲି ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ାର ବିଭିନ୍ନ ଅଞ୍ଚଳରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ । ବର୍ଷା ଓ ପବନକୁ ଖାତିର ନକରି କାମରେ ଲାଗିଛନ୍ତି ଓଡ୍ରାଫ ଟିମ୍‌  ଓ ଅଗ୍ନିଶମ ବାହିନୀ । ବାତ୍ୟା ବେଳେ ଗୋପାଳପୁର ବନ୍ଦର ନିକଟରେ ଫସିଥିଲା ୩୫ଟି ଟ୍ରଲର୍‌ । ଏହା ଭିତରେ ଥିଲେ ଆନ୍ଧ୍ରପ୍ରଦେଶର ପାଖାପାଖି ୧୫୦ ଜଣ ମତ୍ସଜୀବୀ । କୋଷ୍ଟଗାର୍ଡ ନେତୃତ୍ୱରେ ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ ଓଡ୍ରାଫ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ମତ୍ସଜୀବୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।

cyclone 1

ତିତଲି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିଲା ବ୍ୟାପକ ପଦକ୍ଷେପ। ସମୁଦ୍ରକୂଳିଆ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସତର୍କ ସୂଚନା ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ  ଓ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା । ଏବେ ତିତଲି ବିପଦ ଟଳିବା ପରେ ସେମାନେ ଘରକୁ ଫେରୁଛନ୍ତି । ତେବେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା ।  ଡାକବାଜି ଯନ୍ତ୍ର ସାହାଯ୍ୟରେ ପୁରୀରେ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ତିତଲି ପ୍ରଭାବରେ ଗଞ୍ଜାମ ଓ ଗଜପତିରେ କିଛି ଚାଳଘର, ଆଜବେଷ୍ଟସ ଛପର ବି ଉଡିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.