ପାଉଡରରେ ବାସନ ସଫା କରିଦେବେ କହି ଲୁଟିନେଲେ ମୁଦି, ଚେନ୍
ଚାଲାକ୍ ଲୁଟେରା । ଦିନ ଦ୍ୱିପହରରେ ମହିଳାଙ୍କୁ ବୋକା ବନାଇ ଲୁଟିନେଲେ । ସେ ପୁଣି ଜୋର ଜବରଦସ୍ତ ଛଡ଼ାଇ କି ଗେଟ୍ ତାଲା ଭାଙ୍ଗି ନୁହେଁ ଆଜ୍ଞା, କଥାରେ କଥା କହି ମହିଳାଙ୍କୁ ବୋକା ବନାଇ ଲୁଟିନେଲେ ମହିଳାଙ୍କଠାରୁ ହେଲେ ମହିଳା ଜଣକ କେବଳ ଜଳକା ହୋଇ ଚାହିଁ ରହିଥିଲେ କିଛି କହି ପାରି ନଥିଲେ ।

ସାଲେପୁର: ସାବଧାନ୍ । ଗାଁ ଗାଁ ବୁଲୁଛନ୍ତି ଚାଲାକ୍ ଲୁଟେରା । ଦିନ ଦ୍ୱିପହରରେ ବୋକା ବନାଇ ଲୁଟି ନେଉଛନ୍ତି ଆଖିରେ ଆଙ୍ଗୁଠି ଗେଞ୍ଜି । ସେ ପୁଣି ଜୋର ଜବରଦସ୍ତ ଛଡ଼ାଇ କି ଗେଟ୍ ତାଲା ଭାଙ୍ଗି ନୁହେଁ ଆଜ୍ଞା, କଥାରେ କଥାରେ କହି ଅତି ସୁନ୍ଦର ଭାବରେ ଚାଲକି କରି ଲୁଟି ନେଉଛନ୍ତି । ଠିକ୍ ଯେମିତି ଏଇ ମହିଳା ଶିକାର ହୋଇଛନ୍ତି ସେହି ଚାଲାକ୍ ଚୋରଙ୍କର । ମହିଳାଙ୍କୁ ବୋକା ବନାଇ ତାଙ୍କ ଠାରୁ ଏମିତି ଲୁଟି ନେଲେ ଯେ ସେ କେବଳ ଜଳକା ହୋଇ ଚାହିଁ ରହିଥିଲେ । କିଛି କହି ପାରି ନଥିଲେ କି କରି ପାରିନଥିଲେ । ଚୋରଙ୍କୁ ଅଟକାଇ ବି ତାଙ୍କ ପକ୍ଷେ ସମ୍ଭବ ନଥିଲା ।
ତେବେ ପୂରା ଘଟଣା ହେଉଛି, ଦିନ ଦ୍ୱିପହରରେ ଆସିଲେ ଦୁଇ ଜଣ ଯୁବକ। ଗେଟ ଖୋଲି ଘରେ ପଶିଲେ। ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା। ଘରେ କେହି ନଥିଲେ କେବଳ ଜଣେ ବୃଦ୍ଧା। ଯାହାର ସୁଯୋଗ ନେଇ ବୃଦ୍ଧାଙ୍କୁ କହିଥିଲେ ଆମେ ସରକାରଙ୍କ ତରଫରୁ ଆସିଛୁ, ଜିନିଷ ସଫା କରିବା ପାଉଡର ଆଣିଛୁ । ଏହି ପାଡର ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି। ବୃଦ୍ଧାଙ୍କ ଠାରୁ ଦସ୍ତଖତ ମଧ୍ୟ ନେଲେ। ପାଉଡର ବ୍ୟବହାର କିଭଳି କରିବେ ଜଣାଇବା ପାଇଁ ବାସନ ମାଗିଲେ । ବୃଦ୍ଧା ଜଣଙ୍କ ଏକ ପିତଳ ବାସନ ଦେଇଥିଲେ । ତାକୁ ମାଜି ସଫା କଲେ । ତାପରେ ସେ ପିନ୍ଧିଥିବା ମୁଦି ମାଗି ମଧ୍ୟ ସଫା କଲେ। ଆଉ ତାପରେ ଯାହା ଘଟିଲା ବୃଦ୍ଧା ଜଣକ କିଛି ବୁଝି ପାରିନଥଲେ । ହଠାତ ଯୁବକ ଜଣକ ତାଙ୍କ ବେକରୁ ପିନ୍ଧିଥିବା ଚେନ ଛିଣ୍ଡାଇ ନେଲେ। ଅବଶ୍ୟ ବୃଦ୍ଧା ଜଣକ ବିରୋଧ କରିଥିଲେ । କହିଥିଲେ ଚେନ୍ କାହିଁକି ନେଲ । ଉତ୍ତରରେ ଯୁବକ ଜଣକ କହିଥିଲେ, କାହିଁକି ବ୍ୟସ୍ତ ହେଉଛନ୍ତି ମାଉସୀ, ଆମେ କଣ ଚୋର ? ଏଇ ଦେଖନ୍ତୁ ଚେନ୍ ବି ଏହି ପାଉଡରରେ କେମିତି ସଫା ହେଉଛି …ଏତକ କହି ଚେନ ଓ ମୁଦି କୁ ପାଉଡରେ ଗୋଳାଇ ଏକ ଜାଗାରେ ରଖି ଦଶ ମିନିଟ ପରେ ତାକୁ ଖୋଲିବାକୁ କହିଲେ।
ଏହି ସମୟରେ ବୃଦ୍ଧାଙ୍କ ଆଖି ଆଗରେ ହିଁ ତାଙ୍କ ୩ ଭରି ଚେନ ଓ ସୁନା ମୁଦି ହାତ ସଫେଇ କରି ନେଇ ଚମ୍ପଟ ମାରିଲେ ଦୁଇ ଲୁଟେରା। …କିଛି ସମୟ ପରେ ଯେତେବେଳେ ପାଉଡର ଭିତରୁ ଚେନ ଓ ମୁଦି ବାହାର କରିବାକୁ ଯାଇ ଦେଖିଲା ବେଳକୁ ସେଥିରେ ପାଉଡର ଛଡ଼ା କିଛି ନଥିଲା । ଏଭଳି ଲୁଟର ଶିକାର ହୋଇଛନ୍ତି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ପାଟପୁର ଗାଁର ବୃଦ୍ଧା କାଞ୍ଚନ ମହାପାତ୍ର । …ତେବେ ଏହି ସମସ୍ତ ଲୁଟର ଚିତ୍ର ତାଙ୍କ ଘର ବାହାରେ ଲଗା ଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ପୋଲିସ ତଦନ୍ତ କରୁଛି ।