ବାଣୀ ଦ୍ୱାରା ଯେଉଁସବୁ ନିଷ୍ପତ୍ତି ହୋଇଥାଏ, ତାହା ହେଉଛି ବିଦ୍ୟା : ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ

ଭୁବନେଶ୍ବର (କେନ୍ୟୁଜ୍) : ଆଧ୍ୟାତ୍ମିକ ଗ୍ରନ୍ଥ ଜୀବନଧାରଣର ଅନ୍ୟତମ ମାଧ୍ୟମ। ଆଧ୍ୟାତ୍ମିକ ଗ୍ରନ୍ଥ ଦ୍ୱାରା ଜ୍ଞାନ ପରିମାର୍ଜିତ ହେବା ସହ ଆମର ଜୀବନଧାରଣ ମାନ ବିକଶିତ ହୋଇଥାଏ ବୋଲି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି । ରବିବାର କିସ୍ ଶ୍ରୀବାଣୀକ୍ଷେତ୍ରରେ ସ୍ଥାପିତ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାରକୁ ଉଦଘାଟନ କରି ଆୟୋଜିତ ଧର୍ମସଭାରେ ଏହା କହିଛନ୍ତି। ସେ କହିଲେ, ବିଦ୍ୟା, କଳା ମଧ୍ୟରେ ପ୍ରଭେଦ ରହିଛି। ବାଣୀ ଦ୍ୱାରା ଯେଉଁସବୁ ନିଷ୍ପତ୍ତି ହୋଇଥାଏ, ତାହା ହେଉଛି ବିଦ୍ୟା।

ମୌନ ଭାବେ ଯେଉଁ ସବୁ ନିଷ୍ପତ୍ତି ହୋଇଥାଏ, ତାହା ହେଉଛି କଳା। ବିଜ୍ଞାନ, ଗଣିତ, ରାଜନୀତି, ଅର୍ଥନୀତି ଆଦି ସବୁର ମୂଳ ହେଉଛି ବେଦ। ଏହି ସବୁ ବୈଦିକ ମହର୍ଷିଙ୍କ ଦ୍ୱାରା ବିକଶିତ ହୋଇଛି। ଜଡ଼ ଚେତନାର ଗ୍ରନ୍ଥି ଭେଦନରେ ଯାହା ବିନିଯୋଗ ଓ ଉପଯୋଗ ହୋଇଥାଏ, ତାହା ହିଁ ହେଉଛି ଗ୍ରନ୍ଥ। ତେଣୁ ଆମ ଜୀବନରେ ଗ୍ରନ୍ଥର ମହତ୍ତ୍ୱ ଯଥେଷ୍ଟ। ଔଷଧାଳୟରେ ଯେପରି ଜୀବନ ରକ୍ଷାକାରୀ ଓ ଜୀବନ ନାଶକାରୀ ଉଭୟ ଔଷଧ ରହିଥାଏ, ଗ୍ରନ୍ଥାଗାରରେ ମଧ୍ୟ ତାରକ ଓ ମାରକ ଦୁଇ ପ୍ରକାର ଗ୍ରନ୍ଥ ରହିଥାଏ। ପ୍ରାମାଣିକ ଗୁରୁ ପରମ୍ପରା ଅନୁସାରେ ଅଧ୍ୟୟନ ଓ ଅନୁଶୀଳନ କରାଗଲେ ତାହା ଆମ ପାଇଁ ଲାଭଦାୟକ ହେବ। ଆମେ ଯେଉଁ ଗ୍ରନ୍ଥକୁ ବୁଝିପାରିବା, ସେହି ଗ୍ରନ୍ଥକୁ ପଢିବା ଉଚିତ। ଜଣେ ତା ଜ୍ଞାନର ବାହାରେ ଅନାଧିକୃତ ଭାବେ ଗ୍ରନ୍ଥ ଅଧ୍ୟୟନ କଲେ ତାହା ତା ପାଇଁ କ୍ଷତିକାରକ ହୋଇଥାଏ ବୋଲି ଶଙ୍କରାଚାର‌୍ୟ୍ୟ କହିଥିଲେ।

କିଟ୍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଥାପିତ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର ସମସ୍ତଙ୍କ ପାଇଁ ସହାୟକ ହେବ ବୋଲି ସେ କହିଥିଲେ। ଏହି କାର‌୍ୟ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ପୀଠର ସ୍ୱାମୀଜୀ, ବାବା ରାମ ନାରୟଣ ଦାସ , ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ଗୋବର୍ଦ୍ଦନ ପୀଠର ମାତୃ ପ୍ରସାଦ ମିଶ୍ର, ମନୋଜ ରଥ ସମେତ ବହୁ ସାଧୁସନ୍ଥ ଏହି ଧର୍ମସଭାରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର‌୍ୟ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜ ଦିବ୍ୟସିଂହ ଦେବ ଡ. ସାମନ୍ତଙ୍କୁ ଏକ ଆଧ୍ୟାତ୍ମିକ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଏହି ପ୍ରସ୍ତାବ କ୍ରମେ କିଟ୍ ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ଶ୍ରୀବାଣୀକ୍ଷେତ୍ରଠାରେ ଏକ ଆଧ୍ୟାତ୍ମିକ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯାଇଛି। ସର୍ବସାଧାରଣଙ୍କ ନିମେନ୍ତ ଏହି ଗ୍ରନ୍ଥାଗାର ସ୍ଥାପନ କରାଯାଇଛି। ଏଠାରେ ବିଭିନ୍ନ ଧର୍ମଗ୍ରନ୍ଥ, ଧର୍ମପୁସ୍ତକ ସ୍ଥାନ ପାଇଛି। ଏହି ଅବସରରେ ଶଙ୍କରାଚାର‌୍ୟ୍ୟ କିମ୍ସ ଓ କିଟ୍ ଡେଣ୍ଟାଲ କଲେଜ ପରିଦର୍ଶନ କରିବା ସହ ସେଠାରେ ଦିଆଯାଉଥିବା ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କରେ ବୁଝିଥିଲେ। ଶ୍ରୀବାଣୀକ୍ଷେତ୍ରଠାରେ ଥିବା ଆଧ୍ୟାତ୍ମିକ କୁଟୀରରେ ଶଙ୍କରାଚାର‌୍ୟ୍ୟ ରାତ୍ରିଯାପନ କରିଥିଲେ। ଏଠାରେ ୫ଟି ଆଧ୍ୟାତ୍ମିକ କୁଟୀର ସାଧୁସନ୍ଥଙ୍କ ନିମନ୍ତେ ନିର୍ମାଣ କରାଯାଇଛି।

Leave A Reply

Your email address will not be published.