Below header

୬୮ ବର୍ଷ ବୟସରେ ବି ନିଜକୁ କୋଭିଡ ଯୋଦ୍ଧା ଭାବେ ପ୍ରମାଣ କଲେ ସରପଞ୍ଚ, ବର୍ତ୍ତମାନ କ୍ୱାରେଣ୍ଟାଇନ ସେଣ୍ଟରରୁ ସାଉଁଟୁଛନ୍ତି ପ୍ରଶଂସା

ଜଳେଶ୍ବର (କେନ୍ୟୁଜ୍‌) : ନିକଟରେ ଜଣେ ସରପଞ୍ଚ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନଙ୍କୁ ଏମିତି ଚର୍ଚ୍ଚା କରିଥିଲେ ଯେ ରାତାରାତି ସେ ସମସ୍ତଙ୍କର ପ୍ରିୟପାତ୍ର ପାଲଟିଯାଇଥିଲେ । ଏମିତିକି ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ତାଙ୍କୁ ଡାକରା ଆସିଥିଲା ଓ ନିଜେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ଠିକ ସେହିପରି ବର୍ତ୍ତମାନ ଆଉଜଣେ ସରପଞ୍ଚ ନିଜର କାର୍ଯ୍ୟ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀ ମାନେ ଆଜି ପର୍ଯ୍ୟନ୍ତ ଅନେକ ଜାଗାରେ ସରପଞ୍ଚଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରି ଅନେକ ଅଭିଯୋଗ ଆଣିସାରିଛନ୍ତି କିନ୍ତୁ ବର୍ତ୍ତମାନ ସରପଞ୍ଚଙ୍କ ଏଭଳି କାର୍ଯ୍ୟ ଦେଖି ସାରା ରାଜ୍ୟ ଏବେ ତାଙ୍କ ପାଇଁ ଗର୍ବିତ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ସରପଞ୍ଚଙ୍କ କଥା କହୁଛୁ ଯାହା ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନକରି ରହି ପାରିବେନି ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭିରାଇ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଜୟନ୍ତୀ ନାୟକ । ବୟସ ହେଉଛି ୬୮ ବର୍ଷ। ତେବେ ଏହି ୬୮ ବର୍ଷ ବୟସରେ ମଧ୍ୟ ଜୟନ୍ତୀ ଦିନରାତି ଏକ କରି କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ମାନଙ୍କ ସେବାରେ ଲାଗି ପଡିଛନ୍ତି । ରହିବା, ଖାଇବା ପିଇବା ଠାରୁ ଆରମ୍ଭ କରି ନିଜ ପରିବାର ଭଳିଆ ସମସ୍ତଙ୍କ କଥା ବୁଝୁଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରକୁ ପରିଷ୍କାର ପରିଚ୍ଛନ ରଖିବା ସହ ସୁନ୍ଦର ଚିକି ମିକି ଆଲୁଅରେ ସଜେଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ଛୋଟ ପିଲା ମାନଙ୍କୁ ନିଜ ନାତି, ନାତୁଣୀ ଭଳି ସ୍ନେହ କରି କୋଳରେ ଧରି ଗେହ୍ଲା କରିବା ସହ ସମସ୍ତ ଅନ୍ତେବାସୀ ମାନଙ୍କୁ ନିଜ ପୁଅ ଝିଅ ଭଳି ଭଲ ପାଆନ୍ତି ।

ତେବେ କେବଳ ସରପଞ୍ଚ ଏକା ନୁହେଁ ସେ ନିଜ ପୁଅକୁ ମଧ୍ୟ ଏହି ପ୍ରବାସୀ ମାନଙ୍କ ସେବାରେ ଲଗାଇ ଦେଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରେ ଖାଦ୍ୟ ଯୋଗାଉଥିବା SHGର ସଦସ୍ୟା ମାନଙ୍କୁ ତାଗିଦ ମଧ୍ୟ କରିଛନ୍ତି ଯେମିତି ପ୍ରବାସୀ ମାନଙ୍କର ଖାଇବାରେ କୌଣସି ଅସୁବିଧା ନହୁଏ । ପ୍ରତିଦିନ ସକାଳେ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀ ମାନେ ସରପଞ୍ଚଙ୍କ ସହ ମିଶି ସାମାଜିକ ଦୂରତା ବଜାୟ ରଖି ବନ୍ଦେ ଉତ୍କଳ ଜନନୀ ଗାନ କରିଥାନ୍ତି । ତେବେ ଆଜି ଏହି ପ୍ରବାସୀ ମାନଙ୍କ କ୍ବାରେଣ୍ଟାଇନ ସେଣ୍ଟରରୁ ବିଦାୟ ବେଳର ଦୃଶ୍ୟ ଅତ୍ୟନ୍ତ ଭାବବିହ୍ବଳ ଥିଲା । ସମସ୍ତେ ବିଦାୟ ପୂର୍ବରୁ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ସମସ୍ତ ସରକାରୀ ନିୟମ ପାଳନ କରିବେ ବୋଲି ଶପଥ ନେଇଥିଲେ । ବିଦାୟ ବେଳେ ସରପଞ୍ଚ ସେମାନଙ୍କ ଉପରେ ଫୁଲ ପକାଇ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଉପହାର ସ୍ବରୂପ ଗୋଟିଏ ଗୋଟିଏ ଗଛ ଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.