ବଡ଼ମ୍ବା: ସ୍କୁଲକୁ ଆସିଲେ ମିଳୁଛି ବୋମା ଫୁଟାଇ ଦେବା ଧମକ, ଦୁଇ ଗାଁର ସୀମା ବିବାଦରେ ବଳି ପଡୁଛନ୍ତି ଛାତ୍ରଛାତ୍ରୀ

ବଡ଼ମ୍ବା(କେନ୍ୟୁଜ): ସ୍କୁଲ ଅଛି, ଶିକ୍ଷକ ବି ଅଛନ୍ତି । ହେଲେ ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ । ଦୁଇ ଗାଁର ସୀମା ବିବାଦକୁ ନେଇ ଏଭଳି ସମସ୍ୟା ଦେଖା ଦେଇଛି କଟକ ବଡ଼ମ୍ବା ବ୍ଳକ କୁଆଁରପାଳ ପଞ୍ଚାୟତର ଭାଗବତପୁର ୟୁପି ସ୍କୁଲରେ । ଗୋଚର ଜମିରେ ଗଢି ଉଠିଥିବା ଏହି ସ୍କୁଲର ସୀମାକୁ ନେଇ ବୁଢାପଙ୍କ ଓ ଭାଗବତପୁର ଗାଁ ମଧ୍ୟରେ ବିବାଦ, ଏବେ ସ୍କୁଲ ଘର ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି କରିଛି ।

ଭଙ୍ଗା ଅବସ୍ଥାରେ ପଡିଛି ସ୍କୁଲ ଘର ଓ ପାଚେରୀ । ପ୍ରତିଦିନ ସ୍କୁଲ ଖୋଲୁଛି । ଶିକ୍ଷକ ଆସୁଛନ୍ତି । ହେଲେ ଆସୁନାହାନ୍ତି ଛାତ୍ରଛାତ୍ରୀ । ସ୍କୁଲକୁ ଆସିଲେ ବୋମା ଫୁଟାଇ ଦେବା ଭଳି ଧମକ ମିଳୁଛି । ଏନେଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଛାଡୁନାହାନ୍ତି ଅଭିଭାବକ । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଟକ ବଡ଼ମ୍ବା ବ୍ଳକ କୁଆଁରପାଳ ପଞ୍ଚାୟତର ଭାଗବତପୁର ୟୁପି ସ୍କୁଲରେ । ଯାହାକି ଏବେ ପ୍ରଶାସନ ପାଇଁ ଅଡୁଆ ସୃଷ୍ଟି କରିଛି ।

ଗୋଚର ଜମିରେ ଥିବା ଏହି ସ୍କୁଲଟି ଭାଗବତପୁର ଗାଁର ବୋଲି ଦାବି ହେଉଛି । ଅନ୍ୟପଟେ ପଡୋଶୀ ଗାଁ ବୁଢାପଙ୍କ ଗ୍ରାମବାସୀ ମଧ୍ୟ ଏହାକୁ ନିଜ ସୀମା ବୋଲି ଦାବି କରୁଛି । ଦୁଇ ଗାଁର ସୀମା ବିବାଦ ଏବେ ସ୍କୁଲ ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ସରକାରୀ ଜମିକୁ ନେଇ ଦୁଇ ଗାଁର ବିବାଦରେ ବଳି ପଡୁଛନ୍ତି ନିରୀହ ଛାତ୍ରଛାତ୍ରୀ । ତୁରନ୍ତ ସମସ୍ୟାର ସମାଧାନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.