ହୃଦ୍‌ରୋଗୀ, ଶ୍ବାସ ରୋଗୀ, କର୍କଟ ରୋଗୀ, କିଡ୍‌ନୀ ରୋଗୀ ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହୋଇପାରିବେ: ବିଶେଷଜ୍ଞ

କେନ୍ୟୁଜ୍(ବ୍ୟୁରୋ):  ସଂକ୍ରମିତ କିମ୍ବା ଅଣ ସଂକ୍ରମିତ କୌଣସି ଜଟିଳ ରୋଗ ଥିବା କରୋନା ଆକ୍ରାନ୍ତ ମାନେ ହୋମ୍‌ ଆଇସୋ‌ଲେସନ୍‌ରେ ରହିପାରିବେ ନାହିଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗର ବୈଷୟିକ ମୁଖପାତ୍ର ପୂର୍ବରୁ କହିଥିଲେ। ।କିନ୍ତୁ ଆଜି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ସନ୍ଦେହକୁ ଦୂର କରି କହିଛନ୍ତି ଯେ ଯଦି ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ଅଛି ତେବେ ଭୟ କରିବାର କୌଣସି କାରଣ ନାହିଁ। ରକ୍ତଚାପ ରୋଗୀ ମଧ୍ୟ ଭୟ ନ କରିବା ଉଚିତ। ରକ୍ତଚାପ ନିୟନ୍ତ୍ରଣରେ ଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରି ଘରେ ରହି କରୋନା ସହ ଲଢ଼ା ଯାଇପାରେ।

ଡାକ୍ତର ଜୟନ୍ତ ପଣ୍ଡା  କହିଛନ୍ତି ଯେ କିଡ୍‌ନି ରୋଗୀମାନଙ୍କର ଫଙ୍କ୍‌ସନାଲ୍‌ ଷ୍ଟାଟସ୍‌ ଦେଖି ଡୋଜ୍‌ ଦିଆଯାଏ। ତେବେ କରୋନା ପଜିଟିଭ୍‌ ହୋଇ ହୋମ୍‌ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ ଦିଆଯାଏ ନାହିଁ। ଅସ୍କିଜେନ୍‌ ଥେରାପି ଘରେ ନେବାର କୌଣସି ଅସୁବିଧା ନାହିଁ। ଯଦି ଆପଣଙ୍କ ଭିତରେ ଜଟିଳତା ବୃଦ୍ଧିପାଏ ଯେପରିକି ଧଇଁସଇଁ ହେବା, କାଶ ହେବା, ଜ୍ବର ବଢ଼ିବା, ମୁଣ୍ଡ ଓ ପେଟ ବଥା ହେଲେ ତୁରନ୍ତ  ୧୦୪ ନମ୍ବରକୁ ଫୋନ କରନ୍ତୁ ଏବଂ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୁଅନ୍ତୁ। ହୃଦ୍‌ରୋଗୀ, ଶ୍ବାସ ରୋଗୀ, କର୍କଟ ରୋଗୀ, କିଡ୍‌ନୀ ରୋଗୀ ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହୋଇପାରିବେ। ମାନସିକ ରୋଗୀ ହୋଇଥିଲେ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଆବଶ୍ୟକସ୍ଥଳରେ ୧୦୪ ଡାଏଲ କରି ଟେଲି କନ୍‌ସଲଟେସନ୍‌ କରନ୍ତୁ।