କଙ୍କାଳ କାହାର, ନିଖୋଜ ଚନ୍ଦ୍ରମୋହନ ନା ଡମ୍ବରୁଧରଙ୍କର ? ଡିଏନ୍‌ଏ ଟେଷ୍ଟ କରିବ ପୋଲିସ୍‌

ଝାରସୁଗୁଡ଼ା (କେନ୍ୟୁଜ୍‌) : ଜଣେ ୮ ବର୍ଷ ହେଲା ଓ ଆଉ ଜଣେ ୩ ବର୍ଷ ହେଲା ନିଖୋଜ ଅଛନ୍ତି । ଏହା ଭିତରେ ପୋଲିସ୍‌ ଜଣେ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରିଛି । ଏହି କଙ୍କାଳଟି କାହାର ? ପ୍ରଥମ ବ୍ୟକ୍ତିଙ୍କର ନା ଦ୍ୱିତୀୟ ବ୍ୟକ୍ତିଙ୍କର । ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ତେଣୁ ପୋଲିସ୍‌ ଡିଏନ୍‌ଏ ଟେଷ୍ଟ କରିବ ।

ଏଇ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ଶିଳ୍ପାଞ୍ଚଳରେ । ଅଭିଯୋଗ ଅନୁଯାୟୀ ମୃତକ ହେଉଛନ୍ତି ଡମ୍ବରୁଧର ପାତ୍ର । ଗତ ରବିବାର ଦିନ ପୋଲିସ ପାଇଖାନା ଟାଙ୍କିରୁ କଙ୍କାଳ ଜବତ କରିବା ସହ ମୃତ ଡମ୍ବରୁଧରଙ୍କ ପତ୍ନୀ ଦମୟନ୍ତୀ ଓ ଶଳାକୁ ଗିରଫ କରିଛି । ଡମ୍ବରୁଧର ଭଉଣୀଙ୍କ ଅଭିଯୋଗ କ୍ରମେ କଙ୍କାଳର ଡିଏନ୍‌ଏ ଟେଷ୍ଟ କରାଯିବ ।

ସୂଚନା ମୁତାବକ, ଡମ୍ବରୁଧର ଥିଲେ ଦମୟନ୍ତୀଙ୍କ ପଡ଼ୋଶୀ । ସେ ଅଚାନକ ନିଖୋଜ ହେବା ପରେ ତାଙ୍କ ଭଉଣୀ ଥାନାରେ ଏତଲା ଦେଲେ । ବାରମ୍ବାର ଆସି ଥାନାରେ ଅଭିଯୋଗ କରୁଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ଶୁଣି ନଥିବା କୁହାଯାଉଛି । ଶେଷରେ ନିରାଶ ହୋଇ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହାପରେ ବର୍ତ୍ତମାନ ଘଟଣାର ସାନି ତଦନ୍ତ ଆରମ୍ଭ କରାଗଲା । ଆଉ ତଦନ୍ତ କରି ବନ୍ଧବାହାଲ ଅଞ୍ଚଳର ଏକ ପାଇଖାନା ଟାଙ୍କିରୁ ନରକଙ୍କାଳକୁ ପୋଲିସ ଜବତ କରିଥିଲା । ଏହି ନର କଙ୍କାଳଟି ନିଖୋଜ ଥିବା ଡମ୍ବରୁଙ୍କର ବୋଲି ତାଙ୍କ ପରିବାର ଲୋକେ ଦାବି କରୁଛନ୍ତି ।

ଏବେ ଜାଣନ୍ତୁ ଘଟଣା ପଛର ଘଟଣା । ଅଭିଯୁକ୍ତ ଦମୟନ୍ତୀ ମୟୁରଭଞ୍ଜ ଜିଲ୍ଲାର । ସେ ବନ୍ଧବାହାଲ ଅଞ୍ଚଳରେ ରହି କାମ କରୁଥିବା ଚନ୍ଦ୍ରମୋହନ ନାଏକଙ୍କୁ ବିବାହ କରିଥିଲେ । ବନ୍ଧବାହାଲର କାନ୍ତା କଲୋନୀରେ ରହି ଚନ୍ଦ୍ରମୋହନ କୋଇଲା ଟ୍ରକରେ ଡ୍ରାଇଭର ଭାବେ କାମ କରୁଥିଲେ । ହେଲେ ପଡ଼ୋଶୀଙ୍କ କହିବା ଅନୁଯାୟୀ ଚନ୍ଦ୍ରମୋହନ ଓ ଦମୟନ୍ତୀ ସ୍ୱାମୀ ସ୍ତ୍ରୀ ଭାବେ ଭଲରେ ରହୁଥିଲେ । କିଛି ଦିନ ପରେ ଡମ୍ବରୁଧର ଏମାନଙ୍କ ଘର ପାଖରେ ରହିବାକୁ ଆସିଲେ । ପଡ଼ୋଶୀ ଭାବେ ଚନ୍ଦ୍ରାମହନ ଓ ଦମୟନ୍ତୀଙ୍କ ସହ ପରିଚୟ ହେଲା ଏବଂ ସମ୍ପର୍କ ବଢ଼ିଲା । ତେବେ ଏସବୁ ଭିତରେ ଚନ୍ଦ୍ରମୋହନ ହଠାତ୍‌ କୁଆଡ଼େ ନିଖୋଜ ହୋଇଗଲେ । ସେ ପ୍ରାୟ ୮ବର୍ଷ ହେବ ନିଖୋଜ ଅଛନ୍ତି ବୋଲି ତାଙ୍କ ପଡୋଶୀ କହିଛନ୍ତି।

ତେବେ ପାଇଖାନା ଟାଙ୍କିରୁ ମିଳିଥିବା ନର କଙ୍କାଳ ଡମ୍ବରୁଧର ପାତ୍ରଙ୍କର କି ଆଠ ବର୍ଷ ଧରି ନିଖୋଜ ଥିବା ଦମୟନ୍ତୀଙ୍କ ସ୍ୱାମୀ ଚନ୍ଦ୍ରମୋହନ ନାଏକଙ୍କର ତାହା ଜଣାପଡ଼ି ନାହିଁ । ଡିଏନ୍‌ଏ ଟେଷ୍ଟ ପରେ ହିଁ ଏକଥା ଜଣାପଡିବ । ଏବେ ମୃତକ କିଏ ଏବଂ କେମିତି ତାଙ୍କର ମୃତ୍ୟୁ ହେଲା ତାକୁ ପ୍ରମାଣ କରିବା ପୋଲିସ୍‌ ପାଇଁ ଚ୍ୟାଲେଞ୍ଜ ହେବ ।
ସେହିପରି ମୃତକ ଚନ୍ଦ୍ରମୋହନ ହୁଅନ୍ତୁ କିମ୍ବା ଡମ୍ବରୁଧର ତାଙ୍କର କିଭଳି ମୃତ୍ୟୁ ହେଲା ଏବଂ ତାଙ୍କର କଙ୍କାଳ କିଭଳି ପାଇଖାନା ଟାଙ୍କିକୁ ଆସିଲା, ତାର ଅନୁସନ୍ଧାନ କରୁଛି ପୋଲିସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.