ଯାଜପୁର ଓ ଭଦ୍ରକରେ କି ଧମାକା ହେଲା, ଇଏ କଣ ‘ସ୍କାଏ କ୍ୱେକ୍‌’

ଗତକାଲି ଅପରାହ୍ନରେ ଯାଜପୁର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ଯେଉଁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ତାକୁ ନେଇ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ । ଲୋକେ ଜୋରଦାର ଶବ୍ଦ ଶୁଣିଲେ । ତାର ପ୍ରଭାବରେ ଘର ଦ୍ୱାର ବି ଥରିଗଲା । ହେଲେ ଶବ୍ଦ କେଉଁଠୁ ହେଲା, ଇଏ କି ପ୍ରକାର ଆବାଜ୍‌ ସେକଥା ଜଣାପଡ଼ିଲା ନାହିଁ । ଶବ୍ଦ ନଶୁଣିଥିବା ଲୋକେ ଏହାକୁ ପ୍ରଥମେ ମିଛ ବୋଲି କହିଲେ । ହେଲେ ଶବ୍ଦ ଶୁଣିଥିବା ଲୋକ ତ ନିଜ କାନକୁ ମିଛ ବୋଲି କହି ପାରିବେନି । ତେଣୁ ଚାଲିଲା ଆଲୋଚନା ଓ ସମୀକ୍ଷା କିନ୍ତୁ କେହିବି କିଛି ନିଷ୍କର୍ସରେ ପହଞ୍ଚି ପାରି ନାହାନ୍ତି ।

ଏପଟେ ପ୍ରଶାସନ ବି ଚୁପ୍‌ । ତେଣୁ ଘଟଣା କଣ ଜଣାପଡ଼ିନାହିଁ । କିଛି ଲୋକ ଏହାକୁ କୌଣସି ରକେଟ୍‌ ଫୁଟିବାରର ଶବ୍ଦ କହୁଥିବା ବେଳେ ଆଉ କିଛି ଲୋକ ଏହାକୁ କହୁଛନ୍ତି ‘ସ୍କାଏ କ୍ୱେକ୍‌’ । ଠିକ୍‌ ଭୂମିକମ୍ପ ଭଳି ଆକାଶରେ କିଛି କମ୍ପନ ହୋଇଛି ।

ସ୍କାଏ କ୍ୱେକ୍‌ କଣ ?

ବୈଜ୍ଞାନିକଙ୍କ ମତରେ ବେଳେ ବେଳେ ଆକାଶରେ ଏଭଳି ଘଟଣା ଘଟିଥାଏ । ତେବେ ଶବ୍ଦ କେମିତି ହୁଏ ଓ କେଉଁଠୁ ଆସେ ତାହା ଜଣାପଡ଼େ ନାହିଁ । ଅତୀତରେ ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସ୍କାଏ କ୍ୱେକ୍‌ ଘଟିବାର ନଜିର ରହିଛି । କେବେ ଏହା ପ୍ରାକୃତିକ ଭାବେ ତ ଆଉ କେବେ ଅପ୍ରାକୃତିକ ଭାବେ ଘଟିଥାଏ । ସମୁଦ୍ର ଜୁଆର, ଭୂମିକମ୍ପ, ଇଲେକଟ୍ରୋ ମ୍ୟାଗନେଟିକ୍‌ ଶବ୍ଦରୁ ବି ଏଭଳି ଘଟିଥାଏ ।

ସେହିପରି କୌଣସି ଏୟାରକ୍ରାଫ୍ଟ ବା ଯୁଦ୍ଧ ବିମାନ ଯଦି ଧ୍ୱନି ଗତି ଠାରୁ ଅଧିକ ବେଗରେ ଯାଏ ସେତେବେଳ ବି ଏଭଳି ପ୍ରଚଣ୍ଡ ଶବ୍ଦ ହୁଏ । ଯେମିତିକି କୌଣସି ଯୁଦ୍ଧ ବିମାନର ବେଗ ଘଣ୍ଟାକୁ ୧୨୨୫ କିଲୋମିଟରରୁ ଅଧିକ ରହିଥାଏ ସେତେବେଳେ ଏଭଳି ଶବ୍ଦ ସୃଷ୍ଟି ହୁଏ । ତାକୁ ସୋନିକ୍‌ ବୁମ୍‌ କୁହାଯାଏ ।

ତେବେ ସେ ଯାହା ହେଉ ନା କାହିଁକି, ଏଥିରେ ଏଯାଏ କାହାର କିଛି କ୍ଷତି ଘଟିଥିବାର ସୂଚନା ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.