ପୋଖରୀରେ ବୁଡି ଶୁକୃଳି ଉପାଧ୍ୟକ୍ଷଙ୍କ ପୁତ୍ର ବିୟୋଗ, ଗାଁରେ ଶୋକାକୁଳ ପରିବେଶ

କରଞ୍ଜିଆ(କେନ୍ୟୁଜ): ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁଅ ପ୍ରିନ୍ସ (୧୪)ର ମୃତ୍ୟୁ ପୋଖରୀରେ ବୁଡି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।ରରୁଆ ଥାନା ଅନ୍ତର୍ଗତ ମହିଳାଶୁଲି ଗାଁରେ ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିଲା। ପ୍ରିନ୍ସ କୌଣସି କାରଣରୁ ଗାଁରେ ଥିବା ଗୁଡି ପୋଖରୀକୁ ଯାଇଥିଲେ। ସେଠାରେ ଗୋଡ଼ ଖସିଯିବାରୁ ସେ ପାଣିରେ ଖସିପଡିଥିଲେ। ପହଁରା ଜାଣିନଥିବାରୁ ପାଣିରେ ବୁଡି ତାଙ୍କ ମୃତ୍ୟୁ ଘଟିଥିଲା।

ଏ ନେଇ ଜାଣିବା ପରେ ଗାଁ ଲୋକେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଶୁକୃଳି ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରି ଶୁକୃଳି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରରୁଆ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ ପରେ ମହିଳାଶୁଲି ଗାଁରୁ ଅଣାଯାଇଥିଲା। ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶବ ସତ୍କାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.