ଗାଁ ଗାଁରେ ଏବେ ଘାଣ୍ଟୁଛି ‘ଶହେ ଶହେରେ ଗୁଆଘିଅ’

ଭୁବନେଶ୍ୱର (କେନ୍ୟୁଜ୍) : ମାଘ ମାସର ଶୀତକୁ ଦୂରେଇବା ପାଇଁ ଲୋକେ ନିଆଁ ପୁଉଁଛନ୍ତି, ଅଧିକ ଚା’ ପିଉଛନ୍ତି । ହେଲେ ଏବେ ଏସବୁ ତାତି ଭିତରେ ଯୋଡ଼ି ହୋଇ ଯାଇଛି ପଞ୍ଚାୟତ ନିର୍ବାଚନର ତାତି । ଯାହା ଗାଁ ଗହଳିରୁ ଯାଇ ପାଇଁ ରେକର୍ଡ଼ିଂ ଷ୍ଟୁଡିଓ ଭିତରେ ପହଞ୍ଚି ସାରିଲାଣି । କେଉଁଠି ଗୁଆଘିଅର ଟ୍ରାକ୍‌ରେ ତ ଆଉ କେଉଁଠି ଗେହ୍ଲା ପୁଅ ଟ୍ରାକ୍‌ରେ ଗୀତ ରେକର୍ଡ଼ିଂ ଚାଲିଛି । କରୋନା ପାଇଁ ହାତ ବାନ୍ଧି ବସିଥିବା ଷ୍ଟୁଡିଓ ମାଲିକ, କଳାକାରମାନେ ଏବେ ବେଶ୍ ବ୍ୟସ୍ତ । କମ୍ପୁଛି ଷ୍ଟୁଡିଓ, ଫୁରସତ ନାହିଁ ସାଉଣ୍ଡ ଇଞ୍ଜିନିୟରଙ୍କୁ କି ଗୀତ ନିର୍ଦ୍ଦେଶକଙ୍କୁ ।

ସକାଳ ୯ଟାରୁ ଗୀତ ରେକର୍ଡ଼ିଂ କାମ ଆରମ୍ଭ ହୋଇଯାଉଛି ଯେ ରାତି ୩ଟା ଯାଏ ଚାଲୁଛି। କେଉଁଠି କିଭଳି ଗୀତ ଗାଇବ, କେଉଁ ଷ୍ଟାଇଲ୍ ରେ ଗାଇବ ବୁଝାଇ ଦିଆଯାଉଛି । ଜଲୋକମାନଙ୍କ ମନ ଜିଣିବାକୁ ମାର୍କେଟ୍ ରେ ଚାଲିଥିବା ହିଟ୍ ଟ୍ରାକ୍‌ରେ ଗୀତ ପ୍ରସ୍ତୁତ କରିବାକୁ ବରାଦ ଦେଉଛନ୍ତି ପ୍ରାର୍ଥୀ । ଦଳ, ଚିହ୍ନ ଏବଂ ନାଁ ସହ ଭୋଟରଙ୍କୁ ନିଜ ଆଡକୁ ଟାଣିବା ଭଳି ଗୀତରେ ଭିଡିଓ ପ୍ରସ୍ତୁତ ହେଉଛି। ବଛା ବଛା ଗୀତ ଯେପରି ଗୁଆଘିଅ, ରଙ୍ଗେଇଲୁଣ୍ଡା, ବଉଳ, ଚକୁଳିଆ ପଣ୍ଡା, ମୁଁ ଓଡିଆ ପୁଅ ଗୀତର ଭାରି ଡିମାଣ୍ଡ ରହୁଛି। ଗୀତିକାରମାନେ ମଧ୍ଯ ଚାହିଦା ଅନୁସାରେ ଗୀତ ଲେଖୁଛନ୍ତି।

song

କରୋନା କଟକଣା ଯୋଗୁଁ ଚଳିତ ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ବ ଦିଆଯାଉଛି। ଅନ୍ୟପଟେ ଏଇ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଏଭଳି କଣ୍ଠଶିଳ୍ପୀମାନଙ୍କୁ କାମ ମିଳୁ ନଥିଲା । ଏବେ ପଞ୍ଚାୟତ ନିର୍ବାଚନ ସେମାନଙ୍କୁ ଦାନା ଯୋଗାଉଛି । ଜଣେ କଣ୍ଠଶିଳ୍ପୀ କହିଛନ୍ତି କି, ଗୁଆଘିଅ ଗୀତ ଏବେ ଶହେ ଶହେରେ ଚାଲିଛି, ଗାଁ ଗାଁରେ ଘାଣ୍ଟୁଛି । ସେମିତି ବିଭିନ୍ନ ହିଟ୍‌ ଗୀତର ଧୂନ୍‌ରେ ପ୍ରାର୍ଥୀଙ୍କ ପ୍ରଚାର ଗୀତଗୁଡ଼ିକୁ ଲୋକେ ଶୁଣିବାକୁ ପସନ୍ଦ କରୁଛନ୍ତି । … ତେବେ ଦେଖିବାକୁ ବାକି ରହିଲା କି ଗୀତ ତ ପସନ୍ଦ ଆସୁଛି ହେଲେ ଭୋଟରଙ୍କୁ ପ୍ରାର୍ଥୀ କେତେଦୂର ପସନ୍ଦ ଆସୁଛନ୍ତି ।