ଆସିଲା ଜାନୁଆରୀ ମାସ ଗାଇଡ଼ଲାଇନ, ପାର୍କ ଓ ବେଳାଭୂମି ଆଦିରେ ପିକନିକ୍ ମନା

କେନ୍ୟୁଜ୍(ବ୍ୟୁରୋ): ଜାନୁଆରୀ ମାସ ଲାଗି ରାଜ୍ୟ ସରକାରଙ୍କ ତରଫରୁ ଆସିଲା କୋଭିଡ୍ ଗାଇଡ୍ ଲାଇନ୍। ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସାମାଜିକ ଓ ଧାର୍ମିକ ସମାବେଶ ମନା ରହିଛି। ରାଜନୈତିକ ସମାବେଶରେ ଶହେରୁ ଅଧିକ ଜଣ ରହି ପାରିବେ ନାହିଁ। ମେଳା ଓ ବାଣିଜ୍ୟ ମେଳ ଉପରେ ରୋକ୍ ଲାଗିଛି। ପାର୍କ, ବେଳାଭୂମି ଆଦିରେ ପିକନିକ୍ ମନା। ହୋଟେଲ, ମଲ, କଲ୍ୟାଣମଣ୍ଡପରେ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କୌଣସି ଶିକ୍ଷାନୁଷ୍ଠାନ ପିକ୍ନିକର ଆୟୋଜନ କରି ପାରିବେ ନାହିଁ।
ବିଭିନ୍ନ ବାର୍ଷିକୀ ମହୋତ୍ସବ ଉପରେ ମଧ୍ୟ ଲାଗିଛି କଟକଣା। ଖୋଲାରେ ମେଲୋଡି, ଅପେରା, ଯାତ୍ରା, ଲୋକ ଓ ଶାସ୍ତ୍ରୀୟ ନୃତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତାକୁ କୋଭିଡ୍ ନିୟମ ଭିତରେ ଆୟୋଜନ ପାଇଁ ଅନୁମତି ମିଳିଛି। ବିବାହ, ବ୍ରତ, ଶେଷକୃତ୍ୟ ଆଦି କାର୍ଯ୍ୟକ୍ରମରେ ସର୍ବମୋଟ ୨୫୦ ଜଣ ସାମିଲ ହୋଇ ପାରିବେ।