Below header

ଏଠି ଭୋଜି ରନ୍ଧା ଖାଦ୍ୟ ହୋଇଯାଏ ମହାପ୍ରସାଦ, ଏହି ଦିନ ଗୋଟିଏ ଦିନ ପାଇଁ ଶ୍ରୀକ୍ଷେତ୍ର ରୂପେ ପରିଗଣିତ ହୁଏ ଏହି ସ୍ଥାନ

ଜଗତସିଂହପୁର (କେନ୍ୟୁଜ) : ଜଗତସିଂହପୁର ଜ଼ିଲ୍ଲାରେ ଅଳକା ନଦୀ ତଟରେ ପଞ୍ଚଶଖାମାନଙ୍କ ମଧ୍ୟରୁ ଶିଶୁଅନନ୍ତ ଅନ୍ୟତମ । ତାଙ୍କର ପଟଶିଷ୍ୟ ଭାବରେ ସିଧ ସାଧକ ବାରଙ୍ଗ ଗୋସାଇଁ ଥିଲେ ଉତ୍କଳୀୟ ପଞ୍ଚ ବୈଷ୍ଣବଙ୍କ ସମସାମୟିକ, ବାରଙ୍ଗ ଗୋସାଇଁ ଥିଲେ ଶ୍ରୀଜଗନ୍ନାଥଙ୍କ ଉପାସକ । ସେ ସ୍ୱରଚକ୍ର ନିରୂପଣ ,ସଷ୍ଟାଙ୍ଗ,ଅଷ୍ଟାଙ୍ଗ ,ଯୋଗ,ଲୟାଙ୍ଗ ଆଦି ସିଦ୍ଧିଶାଧନା କରିଥିଲେ । ଗୋସାଇଁ ନିଜର ସାଧନା ବଳରେ ବାର ଆଙ୍ଗୁଳିର ବାୟୁକୁ ଆୟତ୍ତ କରିଥିବାରୁ ତାଙ୍କୁ ବାରଙ୍ଗ ଆଖ୍ୟା ମିଳିଥିବା ଲୋକକଥା ରହିଛି । ସାଧନାରୁ ସିଦ୍ଧିଲାଭ କରିଥିବାରୁ ତାଙ୍କୁ ସିଧ ଉପାଧିରେ ଭୂଷିତ କରାଯାଇଥିଲା, ସେହିଦିନଠାରୁ ସେ ସିଧ ବାରଙ୍ଗ ଗୋସାଇଁ ଭାବେ ପରିଚିତ ଓ ପୂଜିତ । ଜଗତସିଂହପୁର ଜ଼ିଲ୍ଲା ଜଗତସିଂହପୁର ସହର ଠାରୁ ଅନତିଦୂରରେ ପୂର୍ଣଗ୍ରାମ ସ୍ଥିତ ପୀଠ ହେଉଛି ସିଧବାରଙ୍ଗ ପୀଠ । ଦେବଦାରୁ ,ଆମ୍ବ ,ପଣସ,ପୁନ୍ନାଙ୍ଗ ଗଛରେ ପରିବିଷ୍ଟ ଶସ୍ୟ ସାମଲI ଏହି ପିଠ । ଏଠାରେ ଜଗନ୍ନାଥ ,ବଳଭଦ୍ର ,ଦେବୀ ସୁଭଦ୍ରା ,ମା ଲଷ୍ମୀ , ମା ବିମଳା ,ମହାଦେବ ଏବଂ ହନୁମାନଙ୍କ ବିଜେସ୍ଥଳୀ । ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳ ଚତୃଦର୍ଶୀ ବା ପଣ୍ଡୁ ପୂର୍ଣ୍ଣମୀର ପୂର୍ବଦିନ ଏଠାରେ ଏକ ମହୋତ୍ସବ ବା ଭୋଜିର ଆୟୋଜନ ହୋଇଥାଏ ଯାହାକୁ ବାରଙ୍ଗ ଭୋଜି କୁହାଯାଏ ।

ଏହି ଦିନ ଏହି ସ୍ଥାନ ଗୋଟିଏ ଦିନ ପାଇଁ ଶ୍ରୀକ୍ଷେତ୍ର ରୂପେ ପରିଗଣିତ ହୁଏ । ରାତ୍ରର ଅନ୍ତିମ ପ୍ରହରରେ ପ୍ରଭୁ ଜଗନ୍ନାଥ ଏହି ପିଠକୁ ଆସିଥାନ୍ତି ଓ ବାରଙ୍ଗ ଗୋସାଇଁଙ୍କ ଠାରେ ଲାଗି ହୋଇଥିବା ମାଳଚୂଳଟି ରାତ୍ରର ଅନ୍ତିମ ପ୍ରହରରେ ଦୋହଲିଥାଏ ଓ ସେହିଠି ହୁଁ ଜଣାପଡେ ପ୍ରଭୁ ଆସିଛନ୍ତି ବୋଲି । ପୂର୍ଣଗ୍ରାମ ସ୍ଥିତ ସିଧବାରଙ୍ଗ ପୀଠରେ ବାରଙ୍ଗ ଭୋଜି ଏକ ନିଆରା ଆଧ୍ୟାତ୍ମିକ ପରମ୍ପରା । ଭୋଜି ରନ୍ଧା ଖାଦ୍ୟ ହୋଇଯାଏ ମହାପ୍ରସାଦ, ଯେଉଁଥିପାଇଁ ଭକ୍ତ ମାନେ ଭାବବିହ୍ୱଳ ହୋଇ ଏହାକୁ ସେବନ କରିଥାନ୍ତି ।

ଏହି ଦିନ ଏଠାରେ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ ରୂପେ ଗୃହୀତ ହୋଇଥାଏ । ଏହି ବିଶ୍ୱାସରେ ହଜାର ହଜାର ଭକ୍ତ ଏଠାକୁ ଆସି ଏଠାରେ ଚୁଲି କରି ରୋଷେଇ କରି ବଣଭୋଜି କରିଥାନ୍ତି ଏବଂ ପ୍ରସ୍ତୁତ ଖାଦ୍ୟକୁ ମହାପ୍ରସାଦ ରୂପେ ସେବନ କରନ୍ତି । ଯାହାକୁ ବାରଙ୍ଗ ଭୋଜି କୁହାଯାଏ । ଏହିଦିନ ଏହି ପିଠକୁ ହଜାର ହଜାର ଭକ୍ତମାନେ ଆସି ନାମସକୀର୍ତନ ସହ ମହାପ୍ରସାଦ ସେବନ କରନ୍ତି । ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ଏଠାରେ ଭଜନ ସନ୍ଧ୍ୟା ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ । ପୋଲିସ ଉଚ୍ଚପଦସ୍ତ ଅଫିସର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥାନ୍ତି । ଓଡ଼ିଶାର ନାମୀ ନାମୀ କଳାକାରମାନେ ଏଠାରେ ଭଜନ ପରିବେଷଣ କରନ୍ତି ।

ଏହି ଭୋଜି ଅବସରରେ ଦୋକାନବଜାର ବସିବା ସହ ଭୋଗଦୋକାନ, ମନୋହରି ଦୋକାନ ସାଙ୍ଗକୁ ମିନା ବଜ଼ାର ,ଖାଦ୍ୟ ମେଳା ,ବସିଥାଏ । ଏହାର ମଜା ଭକ୍ତମାନେ ନେଇଥାନ୍ତି। ଶିଶୁ ଅନନ୍ତଙ୍କର ପଟ୍ଟଶିଷ୍ୟ ସିଧ ବାରଙ୍ଗ ଗୋସାଇଁଙ୍କର ଏହିଦିନଟି ମହାପ୍ରାଣୟ ଦିବସ ଭାବେ ଓ ବାରଙ୍ଗ ଭୋଜି ନାମରେ ବେଶ ଖ୍ୟାତ । ଶତାଧିକ ସାଧୁ ସନ୍ଥ ଓ ଭକ୍ତ ମାନେ ଏଠାକୁ ଏହି ଦିନ ଛୁଟି ଆସିଥାନ୍ତି ଓ ଭୋଜି କରି ମହାପ୍ରସାଦ ସେବନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.