ମରୁଡି ପ୍ରପୀଡିତ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ, ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ରୋଜଗାରକ୍ଷମ ପଦ୍ମପୁରର ଦୁଇ ଭାଇ

ପଦ୍ମପୁର(କେନ୍ୟୁଜ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପୀଡିତ ଅଞ୍ଚଳ । ହଜାର ହଜାର ଲୋକ ପରିବାର ଗୁଜୁରାଣ ପାଇଁ ପଦ୍ମପୁର ଅଂଚଳରୁ ବାହାର ରାଜ୍ଯକୁ ଦାଦନ ଖଟିବାକୁ ଯାଇଥାନ୍ତି । ପାଣି ଅଭାବରୁ ମରୁଡି ପଦ୍ମପୁର ଅଞ୍ଚଳ ପାଇଁ ଏକ ଦେହ ସୁହା ସମସ୍ଯା । ହେଲେ ଏହି ପ୍ରତିକୂଳ ପରିସ୍ଥିତିରେ ନିଜର ପରିଶ୍ରମ ଓ ଆଧୁନିକର ଜ୍ଞାନ କୌଶଳ ଉପଯୋଗ କରି ଷ୍ଟ୍ରବେରୀ ଭଲି ଏକ ଫଳକୁ ପଦ୍ମପୁର ଭଳି ଅଞ୍ଚଳରେ ଏକ ଲାଭବାନ ବ୍ଯବସାୟରେ ପରିଣତ କରିଛନ୍ତି ପଦ୍ମପୁର ଜାମଖାର ଗାଁ ର ଦୁଇ ଭାଇ ସୁଜିତ ଓ ଅଜିତ ।
ଏହି ଦୁଇ ଭାଇ ଏବେ ଷ୍ଟ୍ରବେରୀ ଚାଷ କରିଛନ୍ତି ତା ନୁହେଁ ଏଥିରେ ସଫଳ ବି ହୋଇଛନ୍ତି । ନିଜ ଘର ପଛ ପଟ ଥିବା କୋଡିଏ ଡେସିମିଲ ଜମିରେ ଏକ ପୋଲି ହାଉସ ତିଆରି କରି ଷ୍ଟବେରୀ ଚାଷ କରିଛନ୍ତି । ବାହାର ରାଜ୍ଯରୁ ୧୫୦୦ ଚାରା ଆଣି ଏହି ଚାଷ ଆରମ୍ଭ କରିଥିଲେ । ଷ୍ଟବେରୀ ଚାଷ ପାଇଁ ଥଣ୍ଡା ଜଳବାୟୁର ଆବଶ୍ଯକତା ରହିଥାଏ । ତେଣୁ ନୂତନ ଜ୍ଞାନ କୌଶଲ ବ୍ଯବହାର କରି ପୋଲିହାଉସ, ଧାଡିକୁ ଧାଡି ଚାଷ ଓ ଜଳ ସଂରକ୍ଷଣ ପାଇଁ ବୁନ୍ଦା ଜଳ ସେଚନ ମାଧ୍ଯମରେ ଷ୍ଟବେରୀ ଚାଷ କରାଯାଇଛି ।
ଗତ ନଭେମ୍ବର ମାସରୁ ଏହୁି ଚାଷ ଆରମ୍ଭ କରି ବର୍ତମାନ ଯାଏଁ ଷ୍ଟବେରୀ ଉତ୍ପାଦନ କରି ବିକ୍ରି କରିଚାଲିଛନ୍ତି । ସୁଜିତ ଅଜିତଙ୍କ କହିବା ମୁତାବକ ଏହି ଫଳ ଚାରି ମାସ ପର୍ଯ୍ଯାୟରେ ଅମଳ ହୋଇଥାଏ । ବର୍ତମାନ ପଦ୍ମପୁର ଅଂଚଳରେ ଷ୍ଟବେରୀର ଚାହିଦା ରହିଛି । ପଦ୍ମପୁର ବଜାରରେ ଷ୍ଟବେରୀ କେଜି ପ୍ରତି ୫୦୦ଟଙ୍କାରୁ ଅଧିକ ମୂଲ୍ଯରେ ବିକ୍ରି ହେଉଛି। ପ୍ରତ୍ଯେକ ଷ୍ଟବେରୀ ଗଛରୁ ଚାରି ମାସ ମଧ୍ଯରେ ୫୦୦ ଗ୍ରାମରୁ ଅଧିକ ଫଳ ଅମଳ ହୋଇଥାଏ।ଏହି ହିସାବରେ ଏହି ଦୁଇ ଭାଇ ଚାରି ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ପାରିବେ ।
ସୁଜିତ ଓ ଅଜିତ ବିଶ୍ୱାଳଙ୍କ ବାପା ମଧ୍ଯ ଜଣେ ଦକ୍ଷ ଚାଷୀ ଭାବରେ ଅଂଚଳରେ ବେଶ ପରିଚିତ । ସେ ମଧ୍ଯ ବିଭିନ୍ନ ପ୍ରକାର ଫଳ, ପନି ପରିବା ଚାଷ କରି ସୁନାମ ଅର୍ଜନ କରିବା ସହ ରାଜ୍ଯ ସ୍ତରରେ ମଧ୍ଯ ପୁରଷ୍କୃତ ହୋଇଛନ୍ତି । ସୁଜିତ ଓ ଅଜିତ ତାଙ୍କ ବାପାଙ୍କ ଠାରୁ ପ୍ରେରଣା ପାଇ ଚାଷ ପ୍ରତି ଆକୃଷ୍ଟ ହେବା ସହ ଚାଷ ପ୍ରତି ମନବଳାଇ ନୂତନ ଜ୍ଞାନ କୌଶଳରେ ଚାଷ କରିବା ଆରମ୍ଭ କରିଛନ୍ତି । ପଦ୍ମପୁର ଅଂଚଳରେ ଷ୍ଟବେରୀ ଚାଷ ହୋଇ ଭଳ ଅମଳ ହୋଇ ପାରିବ ତାହା କେବେ କେହି ଭାବିନ ଥିଲେ । ହେଲେ ଏହି ଦୁଇ ଭାଇ ତାହାକୁ କାର୍ଯ୍ଯରେ କରି ଦେଖାଇଛନ୍ତି । ଏହାକୁ ଦେଖି ପରିବାର ଲୋକ ତଥା ଅଂଚଳ ବାସୀ ବେଶ ଖୁସି ଅନୁଭବ କରୁଛନ୍ତି। ଷ୍ଟବେରୀକୁ ପରିବାର ଲୋକେ ତୋଲିବା ସହ ତାକୁ ୨୦୦ ଗ୍ରାମ ଭର୍ତୀ ଏକ ପ୍ଲାଷ୍ଟିକ ଡବାରେ ପ୍ଯାକିଙ୍ଗ କରି ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି । ଏହି ଦୁଇ ଭାଇ ଏବେ ଷ୍ଟବେରୀ ଚାଷ କରି ନିଜେ ବେଶ ଲାଭ ବାନ ହୋଇ ପାରିଛନ୍ତି ।
ପଦ୍ମପୁର ଭଳି ମରୁଡି ଅଂଚଳରେ ଷ୍ଟବେରୀ ଚାଷ କରି ନିଜେ ଲାଭବାନ ହେବା ସହ ଅନ୍ଯକୁ ପ୍ରେରଣା ଦେଉଛନ୍ତି ଏହି ଦୁଇ ଭାଇ । ଆଗକୁ ଅନ୍ଯ ଚାଷୀ ମାନେ ମଧ୍ଯ ଏହି ଉପାୟ ଅବଲମ୍ବନ କଲେ ଦାଦନ ଖଟିବାରୁ ନିହାତୀ ରକ୍ଷା ପାଇ ପାରିବେ ।