କେମିତି ଛାଡିବୁ କହି ଦିଦିଙ୍କ ପାଇଁ କାନ୍ଦିଲେ ସଭିଏଁ, ଦିଦିଙ୍କୁ ବିଦାୟ ଦେବାବେଳେ ଝରିଲା ପିଲାଠୁ ବଡଙ୍କ ଆଖିରେ ଲୁହ

ନବରଙ୍ଗପୁର (କେନ୍ୟୁଜ) : କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ। ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ବେଳେ କାନ୍ଦିଲେ ସଭିଏଁ। ପିଲାରୁ ବଡ ଯାଏଁ ସମସ୍ତଙ୍କ ଆଖିରେ ଝରିଗଲା ଲୁହ | ଦୀର୍ଘ ୯ ବର୍ଷ ଧରି ଶିକ୍ଷୟତ୍ରୀଙ୍କ ଠାରୁ ସ୍ନେହ ମମତା ପାଇଥିବା ଗ୍ରାମବାସୀ ତାଙ୍କୁ ଛାଡିବାକୁ ଥିଲେ ନାରାଜ। ହେଲେ ସରକାରୀ ନିୟମକୁ କିଏ ଅବା ନ ମାନିବ। ତେଣୁ ନିୟମକୁ ପାଳନ କରି ଶେଷରେ କାନ୍ଦି କାନ୍ଦି ବିଦାୟ ନେଲେ ଶିକ୍ଷୟତ୍ରୀ ।
କିନ୍ତୁ ସେହି ବିଦାୟ ବେଳର ଚିତ୍ର ଥିଲା ବହୁତ ହୃଦୟ ବିଦାରକ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ବାଙ୍କର୍ସ ଗାଁରେ ଶୁକ୍ରବାର ଏପରି ଏକ ଘଟଣା ଦେଖିବାକୁ ମିଳିଛି । ନିଜର ପ୍ରିୟ ଶିକ୍ଷୟତ୍ରୀ ବନଲତା କରଙ୍କୁ ବିଦାୟ ଦେଲା ବେଳେ ଭାଙ୍ଗି ପଡ଼ିଥିଲେ ଛାତ୍ରଛାତୀ। କେବଳ ଛାତ୍ରଛାତ୍ରୀ ନୁହଁନ୍ତି ପିଲାଙ୍କ ଅଭିଭାବକ ମଧ୍ୟ କାନ୍ଦି କାନ୍ଦି ଦେଇଛନ୍ତି ବିଦାୟ। କାହିଁକିନା ଖରା ବର୍ଷା ସବୁ ସମୟରେ ପିଲାଙ୍କ ପୂର୍ବରୁ ସ୍କୁଲରେ ଆସି ପହଁଚି ଯାଉଥିଲେ ଦିଦି। ନିଜ ପିଲାଙ୍କ ଭଳି ଡାକି ଡାକି ଆଣି ସ୍କୁଲରେ ପାଠ ପଢ଼ାଉଥିଲେ।
ଶିକ୍ଷୟତ୍ରୀ ବନଲତା କର ଗତ ୨୦୧୩ ମସିହାରୁ ସେ ବାଙ୍କର୍ସ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । କାର୍ଯ୍ୟକାଳ ଭିତରେ ତାଙ୍କ ସ୍ନେହ ଓ ଶ୍ରଦ୍ଧାରେ ବାନ୍ଧି ହୋଇଯାଇଥିଲେ ଛାତ୍ରଛାତ୍ରୀ। ସେ କେବେବି କାହାକୁ ବାଡାଉନଥିଲେ କି ରାଗୁନଥିଲେ । ପିଲାଙ୍କୁ ଭଲ ପାଠ ପଠାଇବା ସହ ଅଭିଭାବକଙ୍କୁ ମଧ୍ୟ ଭଲ ବ୍ୟବହାର ପ୍ରଦର୍ଶନ କରୁଥିଲେ ।
ପିଲାଙ୍କ କାନ୍ଦ ଦେଖି ଶିକ୍ଷୟତ୍ରୀ ମଧ୍ୟ ନିଜ କୋହ ସମ୍ଭାଳି ପାରିନଥିଲେ। ସେ ମଧ୍ୟ ହୋଇଯାଇଥିଲେ ଭାବବିହ୍ଵଳ। ବିଦାୟ ନେବା ସମୟରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ କାନ୍ଦି ପକାଇଥିଲେ । ଏକ ବିରାଟ ଶୋଭାଯାତ୍ରାରେ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ପାଛୋଟି ନେଇ ପୂରା ଗାଁ ପରିକ୍ରମା କରାଯାଇଥିଲା । ଗାଁ ମୁଣ୍ଡରେ ପହଂଚିବା ପରେ ସମସ୍ତେ ମିଶି ବିଦାୟ ଦେଇଥିଲେ ।