ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଲୁହା ପାଇପରେ ଛାତ୍ରଙ୍କୁ ପିଟିବାରୁ ଉପଜିଲ୍ଲାପାଳ କଲେ ସ୍କୁଲ ବାରଣ

ଆନନ୍ଦପୁର(କେନ୍ୟୁଜ୍):  ହାଟଡିହି ବ୍ଲକର ସୁନ୍ଦରାପାଳ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦବଙ୍ଗଗିରି ଚରମ ସୀମାରେ ପହଞ୍ଚିଛି । ଅଧ୍ୟକ୍ଷ ଜଣକ ନିଶାଶକ୍ତ ଅବସ୍ଥାରେ ଜଣେ ଛାତ୍ରଙ୍କୁ ଏକ ଲୁହା ପାଇପରେ ପିଟିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହିତ ପ୍ରଶାସନକୁ ଜଣାଇବା ପରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ହାଟଡିହି ବ୍ଲକର ବିଡିଓ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରପାଳର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିୟମିତ ମଦ୍ୟପାନ କରି ସ୍କୁଲକୁ ଆସି ଛାତ୍ରଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ କରନ୍ତି ।

ଗତକାଲି ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିଶାଶକ୍ତ ଅବସ୍ଥାରେ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଆଦିବାସୀ ଛାତ୍ର ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । ଫଳରେ ନିଶାରେ ଚୁର ଥିବା ଅଧ୍ୟକ୍ଷ ଜଣକ ଏକ ଲୁହା ପାଇପରେ କୁନି ଛାତ୍ର ଜଣକୁ ପିଟିଥିଲେ । ଛାତ୍ରଟି ପ୍ରବଳ କନ୍ଦାକଟା କରିବାରୁ ଅନ୍ୟ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ କରି ନିଜ ନିଜର ଅଭିଭାବକ ମାନଙ୍କୁ ଜଣାଇଥିଲେ । ଘଟଣା ପରେ କିଛି ଅଭିଭାବକ ବିଦ୍ୟାଳୟକୁ ଯାଇ ଘଟଣାର ସତ୍ୟତା ଜାଣିବା ସହିତ ଅଧ୍ୟକ୍ଷ ଜଣକ ନିଶାଶକ୍ତ ଅବସ୍ଥାରେ ଚାଲିପାରୁ ନଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ପ୍ରଶାସନକୁ ଜଣାଇବା ପରେ ଆନନ୍ଦପୁର ଉପଜିଲ୍ଲାପାଳ ବିଦ୍ୟାଳୟରେ ପହଞ୍ଚି ମାଡ ଖାଇଥିବା ଛାତ୍ରଙ୍କୁ ପଚରା ଉଚୁରା କରିବା ସହିତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚାରିଥିଲେ ।

ଶିକ୍ଷକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀ ଅଧିକାରୀଙ୍କ ସମ୍ମୁଖରେ ବଖାଣିଥିଲେ । ଉପଜିଲ୍ଲାପାଳ ଅଧ୍ୟକ୍ଷଙ୍କୁ ପଚାରିବାରେ ସେ ମଦ ପିଇବା ଘଟଣାକୁ ସ୍ୱୀକାର କରିବା ସହିତ ଛାତ୍ର ଜଣକୁ ଏକ ଷ୍ଟିଲ ପାଇପରେ ପିଟିଥିବା ସ୍ୱୀକାର କରିଥିଲେ । ଅଧ୍ୟକ୍ଷ ଜଣକୁ ତୁରନ୍ତ ଚାକିରୀରୁ ବରଖାସ୍ତ କରିବାକୁ ଅଭିଭାବକମାନେ ଦାବି କରିଥିବା ବେଳେ ଉପଜିଲ୍ଲାପାଳ ଅଧ୍ୟକ୍ଷଙ୍କୁ ସ୍କୁଲରେ ପ୍ରବେଶ ନିମନ୍ତେ ବାରଣ କରିଛନ୍ତି। ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.