ତାଳଚେରରୁ ଅଯୋଧ୍ୟା ଅଭିମୁଖେ ଶୁଭମ, ଚାଲି ଚାଲି ଯିବେ ୧୦୦୦ କିଲୋମିଟର

ଓଡ଼ିଶାର ତାଳଚେରରୁ ଅଯୋଧ୍ୟା ଚାଲି ଚାଲି ବାହାରିଛନ୍ତି ତାଳଚେର ମାଟିର ପୁଅ ଶୁଭମ ସାହୁ । ଅଯୋଧ୍ୟାର ପ୍ରଭୁ ରାମଲାଲାଙ୍କ ଦର୍ଶନ ପାଇଁ ସେ ଏହି ଦୁଃସାହସିକ ପଦଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ଏହି ଭକ୍ତିଭାବ ଅନ୍ୟ ମାନଙ୍କ ପାଇଁ ପାଲଟିଛି ଏକ ଉଦାହରଣ ।

ଆଉ ମାତ୍ର କିଛି ଦିନର ଅପେକ୍ଷା । ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁୟାରୀ ୨୨ରେ ହେବାକୁ ଯାଉଛି । ସେଥିପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ ହେଉଛି କାମ । ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ । ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସ୍ୱପ୍ନ । ସାରା ବିଶ୍ୱରେ ରାମ ଭକ୍ତମାନେ ମନ୍ଦିର ଉଦ୍‌ଘାଟନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ।

ଭକ୍ତମାନେ ରାମ ଲଲ୍ଲାଙ୍କୁ ଉପହାର ମଧ୍ୟ ଦେଉଛନ୍ତି । କିଏ ସୁନା ହୀରା ଦେଉଛି ତ କିଏ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛି । ଏହାରି ଭିତରେ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତଗଣ । ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ହଜି ଯାଇଛନ୍ତି ଆବାଳ ବୃଦ୍ଧ ବନିତା । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ରାମ ଭକ୍ତ ଅଯୋଧ୍ୟାରେ ପହଞ୍ଚୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ତାଳଚେରରୁ ଅଯୋଧ୍ୟା ଚାଲି ଚାଲି ବାହାରିଛନ୍ତି ତାଳଚେର ମାଟିର ପୁଅ ଶୁଭମ ସାହୁ ।

ଅଯୋଧ୍ୟାର ପ୍ରଭୁ ରାମଲାଲାଙ୍କ ଦର୍ଶନ ପାଇଁ ସେ ଏହି ଦୁଃସାହସିକ ପଦଯାତ୍ରା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ତାଳଚେର ବଉଳ ଛକ ଅଞ୍ଚଳର ବିରେନ ସାହୁ ଓ ମାମିନା ସାହୁଙ୍କ ଏକ ମାତ୍ର ପୁତ୍ର ଶୁଭମ ସାହୁ ଚାଲିଚାଲି ତାଳଚେରରୁ ଅଯୋଧ୍ୟା ଯିବାକୁ ମନସ୍ଥ କରିଛନ୍ତି । ମନରେ ଭକ୍ତି ଆଉ କିଛି କରିଦେଖାଇବାର ଇଚ୍ଛା ଶକ୍ତି ଆଜି ତାଙ୍କୁ ଭିଡି ନେଉଛି ରାମ ଭୂମି ଅଯୋଧ୍ୟାକୁ । ସେ ଅଯୋଧ୍ୟା ଚାଲି ଚାଲି ଯିବାକୁ ବାହାରିଥିବା ଜଣାପଡିବା ପରେ ଶୁଭମଙ୍କ ପାଖରେ ଅଞ୍ଚଳବାସୀଙ୍କ ଭିଡ଼ ଜମିଥିଲା ।

ଦୀର୍ଘ ଏକ ହଜାର କିଲୋମିଟର ଚାଲି ଚାଲି ଅଯୋଧ୍ୟାର ରାମ ମନ୍ଦିରରେ ପହଞ୍ଚି ରାମଲାଲାଙ୍କ ଭବ୍ୟ ମନ୍ଦିର ସହ ରାମଲାଲାଙ୍କ ଦର୍ଶନ କରିବେ ବୋଲି ଲକ୍ଷ ରଖିଛନ୍ତି ଶୁଭମ । ପାଦରେ ଚାଲି ମର୍ଯ୍ୟାଦା ପୁରୁଷଙ୍କୁ ଦର୍ଶନ କରିବାକୁ ଶୁଭମଙ୍କ ପ୍ରୟାସକୁ ରାମ ଭକ୍ତମାନେ ପ୍ରସଂଶା କରିବା ସହ ବିଭିନ୍ନ ସ୍ଥାନରେ ସ୍ୱାଗତ ମଧ୍ୟ ଜଣାଉଛନ୍ତି । ସତରେ ମାନିବାକୁ ପଡିବ ଶୁଭଙ୍କର ଏହି ନିଆରା ଚିନ୍ତାଧାରାକୁ । ତାଙ୍କର ଏହି ଭକ୍ତିଭାବ ଅନ୍ୟ ମାନଙ୍କ ପାଇଁ ପାଲଟିଛି ଏକ ଉଦାହରଣ । ଆଜିକାଲି ଆଧୁନିକ ଯୁଗର ଯୁବପିଢ଼ି ମୋବାଇଲ, ପବ୍ ପାର୍ଟିରେ ବ୍ୟସ୍ତ ରହୁଥିବା ବେଳେ ଶୁଭଙ୍କ ଏହି ଭକ୍ତି ଭାବ ନିଶ୍ଚିତ ଭାବେ ଅତି ପ୍ରଶଂସନୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.