Below header

ମାଆ ଝିଅଙ୍କ ପାଇଁ ସାହାରା ସାଜିଛି ହୋଟେଲ, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

କଟକ (କେନ୍ୟୁଜ୍‌): ସକାଳ ହେଲେ ଆରମ୍ଭ ହୋଇଯାଏ ହୋଟେଲ କାମ । ପ୍ରଥମେ ବଜାର ଯାଇ ପରିବା ଆଣିବା ଓ ପରେ ପରେ ପରିବାକୁ ଵିଭିନ୍ନ ଆଇଟମ୍‌୍‌ର ରୂପ ଦେବାରେ ଲାଗି ପଡ଼ନ୍ତି ଏହି ମହିଳା ଦୁଇଜଣ । ସମ୍ପର୍କରେ ସେମାନେ ମାଆ ଓ ଝିଅ । ଏହାପରେ କଟା ବଟା ଆଉ ଛୁଙ୍କ’ର ବାସ୍ନାରେ ଫାଟି ପଡେ ଏହି ଛୋଟିଆ ହୋଟେଲଟି । ସମ୍ପୂର୍ଣ୍ଣ ରୂପେ ଖାଦ୍ୟ ପ୍ରସ୍ତୁତ ହୋଇଗଲା ପରେ ଭଗବାନଙ୍କ ନିକଟରେ ପୂଜା କରି ଭୋଗ ଲଗାଇ ଗ୍ରାହକଙ୍କୁ ଅପେକ୍ଷା କରନ୍ତି । ତାପରେ ଆରମ୍ଭ ହୋଇଯାଏ ଗ୍ରାହକଙ୍କ ଭିଡ଼ ।

ସମ୍ପୂର୍ଣ୍ଣ ଘରୋଇ ପ୍ରଣାଳୀରେ ଖାଦ୍ୟ ତିଆରି ଯୋଗୁ ଏହି ହୋଟେଲ ହିଁ ଅନେକ ଗ୍ରାହକଙ୍କର ଭାରି ପସନ୍ଦ । ଭିଡ଼ । ସମ୍ପୂର୍ଣ୍ଣ ନିରାମିଷ ହୋଟେଲ ହୋଇଥିବାରୁ ଜଣକ ପରେ ଜଣେ ହୋଟେଲ ମୁଁହା ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ନିୟମିତ ଗ୍ରାହକ ଅଛନ୍ତି । ଛୋଟିଆ ହୋଟେଲ ହେଲେ ମଧ୍ୟ ବେଶ୍‌ ସଫା ସୁତୁରା ଏବଂ ମିଲ୍‌ ଦାମ୍‌ ବି ବେଶି ନୁହେଁ । ତା ସହିତ ଆମର ଦେଶୀ ଖାଦ୍ୟ କଖାରୁ ଡଙ୍କ, ପୋଇ ତରକାରୀ ବି ମିଳେ ଏଠି । କଟକର କାଠଗଡ଼ା ସାହିରେ ରହିଛି ଦୁଇ ମହିଳା ଚଳାଉଥିବା ଏଇ ହୋଟେଲ ।

ତେବେ ହୋଟେଲର ବ୍ୟବସାୟକୁ ଦେଖାଇବା ଆମର ଲକ୍ଷ୍ୟ ନୁହେଁ । କେମିତି ଏ ମା ଝିଅ ଏହି ବ୍ୟବସାୟକୁ ଆସିଲେ ଓ ସଫଳ ହେଲେ ସେଇକଥା କହିବା ଆମର ଉଦ୍ଦେଶ୍ୟ । ମା ଲକ୍ଷ୍ମୀପ୍ରିୟା ଓ ଝିଅ ରମା । ରମା ପାରିବାରିକ କ୍ଷେତ୍ରରେ ବଡ଼ ଅସୁବିଧାର ସାମନା କଲେ । ନିଜର ପିଲାକୁ ନେଇ ବାପ ଘରକୁ ଚାଲି ଆସିଲେ । ଅନ୍ୟ କିଛି କାମ କରି ପେଟ ପୋଷିବାକୁ ଚେଷ୍ଟା ବି କଲେ । ହେଲେ ଆର୍ଥିକ ପରିସ୍ଥିତି ସୁଧୁରିଲା ନାହିଁ । ତେଣୁ ବହୁତ ଚିନ୍ତା କରି ଶେଷରେ ଛୋଟିଆ ହୋଟେଲ କରିବାକୁ ନିଷ୍ପତ୍ତି ନେଲେ । ପ୍ରଥମେ ଧାର କରଜ କରି ହୋଟେଲ ଆରମ୍ଭ କରିଥିଲେ ।

ଲୋକଙ୍କ ପ୍ରତି ଭଲ ବ୍ୟବହାର ଏବଂ ଘରୋଇ ରାନ୍ଧଣାର ସୁଆଦ ଗ୍ରାହକଙ୍କୁ ତାଙ୍କ ହୋଟେଲକୁ ଟାଣି ଆଣିଲା । ଆଉ ସେମାନେ ବି ଗ୍ରାହକମାନଙ୍କୁ ନିଜ ଭଗବାନ ବୋଲି ମାନିନେଲେ । ପାଲଟିଗଲେ ସ୍ୱାବଲମ୍ବୀ । ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ ଏବଂ ସ୍ୱାଧୀନ ଓ ସ୍ୱାଭିମାନର ସହ ଜିଉଛନ୍ତି ମା ଝିଅ । ଦୁଇଜଣ ମହିଳା ହେଲେ ବି ପରିବାରର ସହଯୋଗ ଓ ସମର୍ଥନ ହିଁ ଆଜି ଏମାନଙ୍କୁ ସଫଳ କରାଇଛି ବୋଲି କୁହନ୍ତି ଏମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.