ଟ୍ରେଲୀ ପଦ୍ଧତିରେ ପୋଟଳ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ, ଲକ୍ଷେ ବିନିଯୋଗରେ ୨ ଲକ୍ଷ ରୋଜଗାର

ଗୁଣୁପୁର(କେନ୍ଯୁଜ୍) : କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ରାମାନଗୁଡା ବ୍ଲକ ଲିମାପଦର ଗ୍ରାମର ଚାଷୀ । ପାରମ୍ପାରିକ ପଦ୍ଧତିରେ ଚାଷ ଛାଡି ଆଧୁନିକ ପଦ୍ଧତିରେ ପଟୋଳ ଚାଷ କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରି ପାରିଛନ୍ତି ଚାଷୀ । ଆଉ ଏମାନଙ୍କୁ ସହଯୋଗର ହାତ ବଢାଇଛି ରାମାନାଗୁଡା ସ୍ଥିତ ଉଦ୍ୟାନ ବିଭାଗ ।

ରାୟଗଡା ଜିଲ୍ଲା ରାମାନଗୁଡା ବ୍ଲକରେ ଅବସ୍ଥିତ ଲିମାପଦର ଗ୍ରାମ । ଗ୍ରାମର ଅଧିକାଂଶ ଲୋକଙ୍କ ଜୀବନ ଜୀବିକା କହିଲେ ଧାନ ଓ ପରିବା ଚାଷ । ତେବେ ଏହି ଗ୍ରାମର ଚାଷୀ ପଟୋଳ ଚାଷ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଂଚଳରେ । ଆଉ ଏହି ପଟୋଳ ଚାଷ ଚାଷୀଙ୍କୁ ବର୍ଷ ସାରା ରାହା ଯୋଗାଇବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିପାରିଛି । ଚାଷ ପାଇଁ ଚାଷୀ ଜଣକ ଏକର ପ୍ରତି ବାର୍ଷିକ ୧ ଲକ୍ଷ ବିନିଯୋଗ କରି ପ୍ରାୟ ୨ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି । ତେବେ ଏମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରୋତ୍ସାହର ହାତ ବଢାଇଛି ରମାନାଗୁଡାସ୍ଥିତ ଉଦ୍ୟାନ ବିଭାଗ ।

ପୂର୍ବରୁ ଏହି ଗ୍ରାମର ଚାଷୀମାନେ ଜଙ୍ଗଲରୁ କାଠ ଆଣି ରଞ୍ଝା ପଦ୍ଧତିରେ ପଟୋଳ ଚାଷ କରୁଥିଲେ । କିନ୍ତୁ କାରୋନା କାଳରେ ଚାଷୀଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ପାଇଁ ଚାଷୀଙ୍କୁ ମୁଖ୍ଯମନ୍ତ୍ରୀଙ୍କ ସ୍ବତନ୍ତ୍ର କୋବିଡ ସହାୟତା ରାଶି ଉଦ୍ୟାନ ବିଭାଗ ତରଫରୁ ପ୍ରଦାନ କରାଯିବା ପରେ ଟ୍ରେଲୀ ପଦ୍ଧତି ଚାଷ ଆରମ୍ଭ କରିଛନ୍ତି ଗ୍ରାମର ଚାଷୀ । ଏହି ପଦ୍ଧତିରେ ଚାଷ କରିବା ଦ୍ବାରା ଗଛ ସଠିକ ପରିମାଣର ସୂର୍ଯ୍ଯ କିରଣ ପାଇବା ସହ ଔଷଧ ସିଂଚନ କରିବା ପାଇଁ ମଧ୍ୟ ସୁବିଧା ହେଉଥିବାରୁ ଅଧିକ ଉତ୍ପାଦନ ହେଉଥିବାର ଚାଷୀ ପ୍ରକାଶ କରିଛନ୍ତି ।

ଚାଷୀ ଅମଳ କରୁଥିବା ପଟୋଳ ଦେଶୀ ପ୍ରଜାତିର ହୋଇଥିବାରୁ ବେସ ଚାହିଦା ରହୁଛି ବଜାରରେ । ବଜାରୀକରଣ ପାଇଁ ଚାଷୀ ନିକଟସ୍ଥ ବଜାର ଉପରେ ର୍ନିଭର କରିବା ସହ ଗୁଣୁପୁର , ଗୁଡ଼ାରି , ପଦ୍ମପୁର ,ରାୟଗଡା ଓ ମୁନିଗୁଡା ଇତ୍ୟାଦି ସହରକୁ ରପ୍ତାନି କରି ସହ ଦୁଇ ପଇସା ରୋଜଗାର କରି ନିଜେ ସ୍ବାବଲମ୍ବି ହେବା ସହ ଅନ୍ଯ ମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବାରେ ସହାୟକ ହୋଇପାରୁଛନ୍ତି ଏହି ଅଂଚଳର ଚାଷୀ କୂଳ।

ଏ ନେଇ ରାମାନାଗୁଡା ଉଦ୍ୟାନ ବିଭାଗର ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ଅକ୍ଷୟ ପଣ୍ଡା ପ୍ରକାଶ କରିଛନ୍ତି ପାରମ୍ପରିକ ପଦ୍ଧତିରେ ଚାଷ ଛାଡି କିଭଳି ଉନ୍ନତ ମାନର ଚାଷ ହୋଇପାରିବ ସେ ନେଇ ଚାଷୀଙ୍କୁ ପରାମର୍ଶ ସହ ଉନ୍ନତ ଜ୍ଞାନ କୌଶଳ ବିଭାଗ ତରଫରୁ ଚାଷୀଙ୍କୁ ପ୍ରଦାନ କରାଯାଇଛି ଫଳରେ ଚାଷୀ ମାନଙ୍କୁ ଆର୍ଥିକ ସ୍ଥିତି ସୁଧାର ଆସିଛି । ତେଣୁ ଅନ୍ଯ ଚାଷୀ ଭାଇ ମାନେ ମଧ୍ୟ ସରକାରଙ୍କ ଯୋଜନାକୁ ଆପଣାଇ ବିଭିନ୍ନ ଚାଷ କରି ଲାଭବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

 

ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ରାଜେଶ କୁମାର ପାଢୀ,କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.