କଟକ: ବେଆଇନ ଭାବେ ବାଲି ବୋଝେଇ ଟ୍ରକକୁ ଅଟକାଇଥିଲେ, ଏବେ ୫ ହଜାର ଟଙ୍କା ତଣ୍ଡ ଗଣିବେ ଟାଙ୍ଗୀ ଚୌଦ୍ୱାର ତହସିଲଦାର

କଟକ(କେନ୍ୟୁଜ୍):  ବେଆଇନ ଭାବେ ବାଲି ବୋଝେଇ ଟ୍ରକକୁ ଅଟକାଇବା ଘଟଣାରେ ଟାଙ୍ଗୀ ଚୌଦ୍ୱାର ତହସିଲଦାରଙ୍କୁ ୫ ହଜାର ଟଙ୍କା ଜରିମାନା । ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ସତ୍ୟପାଠ ସହ ଏହାକୁ ଦାଖଲ କରିବା ପାଇଁ କୁହାଯାଇଥିବାବେଳେ ତହସିଲଦାରଙ୍କ ଦରମାରୁ କଟା ଯିବ ବୋଲି ନିର୍ଦ୍ଦେଶ ରହିଛି । ଗତ ଫେବୃଆରୀ ମାସରେ କଟକ ଦେଉଳସାହିର ଅମୀୟ ମିଶ୍ରଙ୍କ ଟ୍ରକକୁ ଚୌଦ୍ୱାରରେ ଅଟକାଇ ଥିଲେ ଟାଙ୍ଗୀ ଚୌଦ୍ୱାର ତହସିଲଦାର । ବାଲି ସହ ଟ୍ରକକୁ ଥାନାରେ ଅଟକ ରଖିଥିଲେ ।

ଟ୍ରକକୁ ଅଟକାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ ଡ୍ରାଇଭର । ବହୁ ଖୋଜାଖୋଜି ପରେ ଟ୍ରକକୁ ପାଇ ନଥିଲେ ମାଲିକ । ପରେ ଚୌଦ୍ୱାର ଥାନାରେ ଥିବା ଜାଣିଥିଲେ । ଗାଡି କାଗଜପତ୍ର ସବୁ ଥିବାବେଳେ ଗାଡ଼ି କାହିଁକି ଅଟକାଇଲେ ତାର ସଠିକ ଉତ୍ତର ଦେଇ ପାରି ନ ଥିଲେ ତହସିଲଦାର । ଗାଡି ମାଲିକ ପ୍ରଥମେ ତଳକୋର୍ଟ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କାହିଁକି ଟ୍ରକ ଅଟକା ଯାଇଥିଲା ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ ସଠିକ ସମୟରେ ସତ୍ୟପାଠ ଦାଖଲ ନହେବାରୁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନଭେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave A Reply

Your email address will not be published.