ହଜାର ହଜାର ମହିଳାଙ୍କୁ ହସ୍ତଶିଳ୍ପ ଶିକ୍ଷା ଦେଇ ଚର୍ଚ୍ଚାରେ କଟକର ତାପଶି ମହାନ୍ତି, ମହିଳାମାନଙ୍କୁ କରୁଛନ୍ତି ସ୍ୱାବଲମ୍ବୀ

ହଜାର ହଜାର ମହିଳାଙ୍କୁ ହସ୍ତଶିଳ୍ପ ଶିକ୍ଷା ଦେଇ ଚର୍ଚ୍ଚାରେ କଟକର ତାପଶି ମହାନ୍ତି । ୨୦୦୫ ମସିହାରୁ ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର ହସ୍ତ କଳା ଶିଖାଇ କରାଇଛନ୍ତି ସ୍ୱାବଲମ୍ବୀ । ତାପସିଙ୍କ ଠାରୁ ବିଭିନ୍ନ ପ୍ରକାରର ହସ୍ତକଳା ଶିଖି ମହିଳାମାନେ ହୋଇପାରିଛନ୍ତି ରୋଜଗାରକ୍ଷମ । ନିଜ ଖର୍ଚ୍ଚ ତୁଲାଇବା ସହ ପରିବାର ଚଳାଇବାରେ ହାତ ବଢ଼ାଇ ପାରୁଛନ୍ତି ଏହି ସ୍ୱାବଲମ୍ବୀ ମହିଳା ।

କଟକ (କେନ୍ୟୁଜ): ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି । ମହିଳା ମାନଙ୍କୁ ଆଗକୁ ନେବା, ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସ୍ତରରେ ପରିବର୍ତ୍ତନ କରିବା ନାରୀ ସଶକ୍ତିକରଣର ମୁଖ୍ୟ ଉଦ୍ଦେଶ୍ୟ । ଯେଉଁ ମହିଳା ଦିନେ ଘରର ଚାରି କାନ୍ଥ ଭିତରେ ଥିଲେ ସେମାନେ ଆଜି ନିଜକୁ ବିକଶିତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯେଉଁଥିପାଇଁ ନାରୀ ସଶକ୍ତିକରଣରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି ।

ସେହିଭଳି ଜଣେ ଅସାଧାରଣ ଦକ୍ଷତା ଥିବା ମହିଳା ହେଉଛନ୍ତି କଟକର ତାପଶୀ ମହାନ୍ତି । କଟକ ସ୍ଥିତ ସିଆରଆରଆଇ ନିବାସୀ ତାପସି ଜଣେ ଡିଜାଇନର, ଭାରତ ସରକାରଙ୍କ ବୟନ ଓ ହସ୍ତତନ୍ତ ବିଭାଗର ଜଣେ ପଞ୍ଜୀକୃତ ଡିଜାଇନର ଭାବରେ ଆଜିକୁ ପ୍ରାୟ ୨୦ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ମାନଙ୍କୁ ହସ୍ତତନ୍ତ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧୨ ହଜାରରୁ ଉର୍ଦ୍ଧ୍ବ ମହିଳା ତାଙ୍କ ପାଖରୁ ହସ୍ତତନ୍ତ ପ୍ରଶିକ୍ଷଣ ନେଇ ସ୍ବାବଲମ୍ବୀ ହେବା ସହ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ବାଉଁଶ, ତାଳପତ୍ର, କାଠ, ବେତ, ନଡ଼ିଆ କତା, କପଡା ଭଳି ବିଭିନ୍ନ ଜିନିଷରେ ବେଶ୍ କିଛି ଉପଯୋଗୀ ଗୃହପୋକରଣ ତଥା ସାଜସଜ୍ଜା ଜିନିଷ ତିଆରି କରିବାରେ ମାହିର ତାପସୀ । ବୟନ ଶିଳ୍ପର ବିଭିନ୍ନ ଡିଜାଇନରେ ମଧ୍ୟ ମହିଳା ମାନଙ୍କୁ ଟ୍ରେନିଂ ଦେଇ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି । ଯେଉଁଥିପାଇଁ ତାଙ୍କୁ ମିଳିଛି ଅଜସ୍ର ସମ୍ମାନ ଓ ପୁରସ୍କାର । ୨୦୦୫ ରୁ ମହିଳା ମାନଙ୍କୁ ଟ୍ରେନିଂ ଦେଇ ସ୍ୱାବଲମ୍ବୀ କରିବା ପାଇଁ କାର୍ଯ୍ୟ କରିଥାନ୍ତି । ମହିଳାମାନେ ଚାନ୍ଦୁଆ, କାଇଞ୍ଚ କାମ, ବାମ୍ବୋ ଓ ବେତ କାମ, ପଟ୍ଟଚିତ୍ର କାମ, ଶାଢ଼ୀ ଡିଜାଇନ କାମ ଭଳି ବିଭିନ୍ନ କାର୍ଯ୍ୟର ଶିକ୍ଷା ଗ୍ରହଣ କରିଥାନ୍ତି ।

ଏହି ସବୁ ଜିନିଷ ମାନଙ୍କୁ ବ୍ୟବହାର କରି ବିଭିନ୍ନ ପ୍ରକାରର ଷ୍ଟାଇଲିଷ୍ଟ ହସ୍ତ କାର୍ଯ୍ୟ କରି ବିକ୍ରି କରିଥାନ୍ତି ମହିଳାମାନେ । ବାଲିଯାତ୍ରା ହେଉ ଅବା ବିଭିନ୍ନ ମେଳାରେ ଏହି ହସ୍ତ ଶିଳ୍ପକୁ ବିକ୍ରି କରି ରୋଜଗାର କ୍ଷମ ହୋଇପାରିଛନ୍ତି ଏହି ମହିଳା । ସରକାର ମଧ୍ୟ ssg ମହିଳା ମାନଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି । ଆଜିର ଯୁଗରେ ତାପସିଙ୍କ ଭଳି ଉଦାହରଣ ବହୁତ କମ ଦେଖିବାକୁ ମିଳିଥାଏ । ତାପସିଙ୍କ ଅଦମ୍ୟ ଚେଷ୍ଟା ଯୋଗୁଁ ଆଜି ହଜାର ହଜାର ମହିଳା ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇ ପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.