ପେଟ୍ରୋଲ ପମ୍ପରୁ ତେଲ ବଦଳରେ ବାହାରୁଛି ପାଣି, ଯାଜପୁର ବରୀ ଅଞ୍ଚଳରେ ଉତ୍ତେଜନା

ଯାଜପୁର (କେ ନ୍ୟୁଜ୍‌): ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବରୀ ମାଉଣ୍ଡ ମୁଖ୍ୟ ବଜାରରୁ। ବରୀ ମାଉଣ୍ଡ ନିକଟରେ ଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଆଜି କିଛି ଲୋକ ଗାଡ଼ିରେ ତେଲ ପାଇବାକୁ ଆସିଥିଲେ। ସେମାନେ ତେଲ ପକାଇ କିଛି ବାଟ ଯିବା ପରେ ଆଉ ଗାଡ଼ି ନଗଡିବାରୁ ଲୋକମାନେ ଗ୍ୟାରେଜରେ ଦେଖାଇ ଥିଲେ । ତେବେ ଗ୍ୟାରେଜ୍‌ ମେକାନିକ୍‌ କହିଲେ ଗାଡ଼ିରେ ତେଲ ନାହିଁ। ପରେ ଟାଙ୍କି ଖୋଲି ଦେଖିବାରୁ ତେଲ ବଦଳରେ ପାଣି ବାହାରୁଥିବା ଦେଖିବାକୁ ମିଳିଥିଲା। ଆଉ କିଛି ଲୋକ ବୋତଲରେ ତେଲ ନେଇଥିଲେ । ସେମାନଙ୍କର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା।

ତେବେ ଆଜି ପେଟ୍ରୋଲ ବଦଳରେ ପାଣି ବାହାରିବା ଯୋଗୁ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଫଳରେ ପେଟ୍ରୋଲ ପମ୍ପରେ ଲୋକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଛନ୍ତି । ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଅନ୍ୟପଟେ ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି ଯେ ଘଟଣା ସମ୍ପର୍କରେ ଆମେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛୁ । ଗତକାଲି ତେଲ ଆସିବା ପରେ ଆମେ ଭରିଥିଲୁ । କଣ ହୋଇଛି ଆମେ ଜାଣି ନାହୁଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.