୭ରୁ କମିବ ଶୀତ, ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ ବଢ଼ିପାରେ

ଭୁବନେଶ୍ୱର(କେନ୍ୟୁଜ) : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଜାରି ରହିଛି ଶୀତର ପ୍ରଭାବ । ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ଅସହ୍ୟ ଜାଡ଼ରେ ଥରୁଛି । ଗତ ୨୪ ଘଣ୍ଟାରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ସମତଳ ଅଞ୍ଚଳରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୯.୩ ଡିଗ୍ରୀ ରେକର୍ଡ ହୋଇଛି।
ପାର୍ବତ୍ୟାଞ୍ଚଳ ଦାରିଙ୍ଗିବାଡ଼ିରେ ୭ଡିଗ୍ରୀ ସେଲସିୟମ ରହିଛି। ଆଗାମୀ ୫ଦିନରେ ପାଗ ଅପରିବର୍ତ୍ତିତ ରହିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ଘନ କୁହୁଡ଼ିର ସମ୍ଭାବନା ରହିଛି। ଘନ କୁହୁଡି ପାଇଁ ଆସନ୍ତାକାଲି ୬ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଗାମୀ ୨ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୭ତାରିଖ ପରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୩ଦିନ ପରେ ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ।